Skip to content
The Believer's Library

Indian Revised Version(IRV) Odia - 2021

Isaiah 21 IRVOry

Side by side with the Father's Heart Bible™

ବାବିଲର ପତନର ଦର୍ଶନ

1ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ।ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।

2ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି;ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି।ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର;ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।

3ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି;ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି;ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।

4ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି;ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।

5ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି;ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।

6କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି,“ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;

7ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ,ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ,ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”

8ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା,“ହେ ପ୍ରଭୁ, ମୁଁ ଦିନ ବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,

9ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି।”ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲାଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”

10ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ,ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି,ତାହା ତୁମ୍ଭମାନଙ୍କୁ ଜଣାଇଲି।

11ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?” 12ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”

13ଆରବ ବିଷୟକ ଭାବବାଣୀ।ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।

14ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ;ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।

15କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ,ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।

16ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ; 17ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।”

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]