Skip to content
The Believer's Library

Indian Revised Version(IRV) Odia - 2021

Psalms 136 IRVOry

Side by side with the Father's Heart Bible™

ଧନ୍ୟବାଦ ସ୍ତୁତି

1ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

2ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

3ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

4ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟକର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

5ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ;ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।

6ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

7ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

8ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ କଲେ ସେ);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

9ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

10ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

11ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

12ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

13ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

14ତହିଁ ମଧ୍ୟଦେଇ ଇସ୍ରାଏଲକୁ ପାର କରାଇଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

15ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

16ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ କରାଇଲେ, ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

17ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର);କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

18ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

19ଇମୋରୀୟମାନଙ୍କ ରାଜା ସୀହୋନକୁ ବଧ କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

20ପୁଣି, ବାଶନର ରାଜା ଓଗ୍‍କୁ ବଧ କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

21ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

22ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

23ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

24ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

25ସବୁ ପ୍ରାଣୀକୁ ଆହାର ଦିଅନ୍ତି ସେ;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

26ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର;କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]