Skip to content
The Believer's Library

Indian Revised Version(IRV) Odia - 2021

Hebrews 7 IRVOry

Side by side with the Father's Heart Bible™

ମଲ୍‍କୀଷେଦକଙ୍କ ଯାଜକପଦ

1ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ; 2ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ଧର୍ମରାଜା, ଦ୍ୱିତୀୟ, ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା। 3ଏହାଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ବରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି। 4ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ। 5ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି; 6କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ। 7ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ। 8ଏ ସ୍ଥଳରେ ମର୍ତ୍ତ୍ୟ ମନୁଷ୍ୟମାନେ ଦଶମାଂଶ ଗ୍ରହଣ କରିଥାଆନ୍ତି, କିନ୍ତୁ ସେ ସ୍ଥଳରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର। 9ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି; 10କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ। 11ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା? 12କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। 13ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାନ୍ତି। 14କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାନ୍ତି।

ମଲ୍‍କୀଷେଦକଙ୍କ ସଦୃଶ ଯୀଶୁ

15ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି, 16ସେ ଶାରୀରିକ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି। 17କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ,“ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶଅନନ୍ତକାଳୀନ ଯାଜକ ଅଟ।”

18ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି; 19(କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ। 20ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, 21ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି,“ପ୍ରଭୁ ଶପଥ କରିଅଛନ୍ତି,ଆଉ ସେ ଅନୁତାପ କରିବେ ନାହିଁ,‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’”

22ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି। 23ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ, 24କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି। 25ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। 26କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। 27ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି। 28ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]