Skip to content
The Believer's Library

Biblica® Open Odia Contemporary Bible

Titus 2 OOCB

Side by side with the Father's Heart Bible™

ବିଭିନ୍ନ ଲୋକଙ୍କ ପାଇଁ ଉପଦେଶ

1ଯାହାକିଛି ଅଭ୍ରାନ୍ତ, ଧର୍ମତତ୍ତ୍ୱସମ୍ମତ, ତାହା ତୁମର ଶିକ୍ଷା ଦେବା ଉଚିତ। 2ବୟୋଜ୍ୟେଷ୍ଠମାନେ ମିତାଚାରୀ, ସମ୍ମାନାସ୍ପଦ, ଆତ୍ମସଂଯମୀ ହେବାକୁ ଏବଂ ବିଶ୍ୱାସରେ, ପ୍ରେମରେ, ସହିଷ୍ଣୁତାରେ ଦୃଢ଼ ରହିବାକୁ ଶିକ୍ଷା ଦିଅ।

3ସେହିପରି, ବୟୋଜ୍ୟେଷ୍ଠା ସ୍ତ୍ରୀମାନେ ଆଚରଣରେ ଭକ୍ତିପରାୟଣା ହେବାକୁ ଶିକ୍ଷା ଦିଅ, ସେମାନେ କୁତ୍ସାରଟନାକାରିଣୀ କିମ୍ବା ମଦ୍ୟପାନରେ ଆସକ୍ତ ନ ହୁଅନ୍ତୁ, ମାତ୍ର ଯାହା ସତ୍ ତାହା ଶିକ୍ଷା ଦିଅନ୍ତୁ। 4ତା ହେଲେ ସେମାନେ କନିଷ୍ଠାମାନଙ୍କୁ ପତିବ୍ରତା ଓ ସନ୍ତାନବତ୍ସଳା ହେବାକୁ ଶିକ୍ଷା ଦେଇ ପାରିବେ, 5ଈଶ୍ୱରଙ୍କ ବାକ୍ୟକୁ କେହି ଯେପରି ନିନ୍ଦା ନ କରେ, ଏଥିପାଇଁ ସେମାନେ ଆତ୍ମସଂଯମୀ, ଶୁଦ୍ଧଚିତ୍ତ, ସୁଗୃହିଣୀ, ଦୟା ଶୀଳା ଏବଂ ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।

6ସେହିପରି, ଯୁବକମାନଙ୍କୁ ଆତ୍ମସଂଯମୀ ହେବାକୁ ଉତ୍ସାହିତ କର। 7ସତ୍‌କାର୍ଯ୍ୟ କରି ତୁମେ ସବୁ ବିଷୟରେ ସେମାନଙ୍କୁ ଆଦର୍ଶ ଦେଖାଅ। ତୁମର ଶିକ୍ଷାରେ ସାଧୁତା, ଓ ଗାମ୍ଭୀର୍ଯ୍ୟ ପ୍ରକାଶ କର 8ଏବଂ ତୁମର ବାକ୍ୟ ଏପରି ଦୋଷଶୂନ୍ୟ ହେଉ, ଯାହା କେହି ନିନ୍ଦା କରିପାରିବ ନାହିଁ ତା ହେଲେ ତୁମର ବିରୋଧୀମାନେ ଆମ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ନିଜେ ଲଜ୍ଜିତ ହେବେ।

9ହେ ଦାସମାନେ ସବୁ ବିଷୟରେ, ନିଜ ନିଜ କର୍ତ୍ତାମାନଙ୍କ ବଶୀଭୂତ ହେବାକୁ, ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଓ ଜବାବ ନ ଦେବାକୁ ଶିକ୍ଷା ଦିଅ, 10ଏବଂ ସେମାନଙ୍କର କିଛି ଚୋରି ନ କରି, ବରଂ ସେମାନେ ଯେ ବିଶ୍ୱାସଯୋଗ୍ୟ ଏହା ଦର୍ଶାଉ, ଯଦ୍ଦ୍ୱାରା ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାକୁ ସେମାନେ ସବୁ ବିଷୟରେ ଆକର୍ଷଣୀୟ କରିପାରିବେ।

11କାରଣ ସବୁ ମନୁଷ୍ୟଙ୍କ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। 12ଅଧର୍ମ ଓ ଜାଗତିକ ଅଭିଳାଷ “ପରିହାର” କରି ଏହି ଯୁଗରେ ଆତ୍ମସଂଯମୀ, ସଦାଚାରୀ ଓ ଧର୍ମପରାୟଣ ହୋଇ, ଜୀବନଯାପନ କରିବାକୁ ଏହା ଆମକୁ ଶିକ୍ଷା ଦିଏ, 13ଏହି ସମୟରେ ଆମେ ସେହି ଆନନ୍ଦମୟ ଭରସାରେ ଅର୍ଥାତ୍ ଆମର ମହାନ୍ ଈଶ୍ୱର ଓ ତ୍ରାଣକର୍ତ୍ତା, ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନର ଅପେକ୍ଷାରେ ରହିଅଛୁ, 14ସେ ତ ଆମକୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଏବଂ ଆମକୁ ସତ୍‌କର୍ମରେ ଉଦ୍‌ଯୋଗୀ କରି ତାହାଙ୍କ ନିଜସ୍ଵ ଲୋକଭାବେ, ଶୁଦ୍ଧପୂତ କରିବାକୁ ଆମ ନିମନ୍ତେ ନିଜକୁ ସମର୍ପି ଦେଲେ।

15ଏହିସମସ୍ତ ବିଷୟ ହିଁ, ତୁମର ଶିକ୍ଷା ଦେବା ଉଚିତ। ପୂର୍ଣ୍ଣ କ୍ଷମତା ସହିତ ଉତ୍ସାହ ଓ ଧମକ ଦିଅ। କେହି ତୁମକୁ ତୁଚ୍ଛଜ୍ଞାନ ନ କରୁ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]