Skip to content
The Believer's Library

Biblica® Open Odia Contemporary Bible

John 1 OOCB

Side by side with the Father's Heart Bible™

ବାକ୍ୟ ଶରୀରଧାରଣ କଲେ

1ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ଏବଂ ସେହି ବାକ୍ୟ ଈଶ୍ୱର ଥିଲେ। 2ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। 3ତାହାଙ୍କ ଦ୍ଵାରା ସମସ୍ତ ବିଷୟ ସୃଷ୍ଟ ହେଲା ଯାହାକିଛି ସୃଷ୍ଟ ହୋଇଛି; ସେଥିରୁ କିଛି ହିଁ ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। 4ତାହାଙ୍କଠାରେ ଜୀବନ ଥିଲା, ଓ ସେହି ଜୀବନ ଥିଲା ମନୁଷ୍ୟମାନଙ୍କର ଜ୍ୟୋତି। 5ସେହି ଜ୍ୟୋତି ଅନ୍ଧକାରରେ ଉଦ୍ଭାସିତ, କିନ୍ତୁ ଅନ୍ଧକାର ତାହା ହୃଦୟଙ୍ଗମ କରି ନାହିଁ।

6ଈଶ୍ୱରଙ୍କ ନିକଟରୁ ପ୍ରେରିତ ହୋଇ ଜଣେବ୍ୟକ୍ତି ଆସିଲେ ତାଙ୍କ ନାମ ଥିଲା ଯୋହନ। 7ସମସ୍ତେ ଯେପରି ତାଙ୍କ ଦ୍ଵାରା ବିଶ୍ୱାସ କରିପାରନ୍ତି, ଏଥିପାଇଁ ସେହି ଜ୍ୟୋତି ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଯୋହନ ସାକ୍ଷୀ ସ୍ଵରୂପେ ଆସିଲେ। 8ସେ ନିଜେ ସେହି ଜ୍ୟୋତି ନ ଥିଲେ; ସେହି ଜ୍ୟୋତିର କେବଳ ସାକ୍ଷୀ ସ୍ଵରୂପ ହୋଇ ସେ ଆସିଥିଲେ।

9ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି ସେ ଜଗତକୁ ଆସୁଥିଲେ। 10ସେ ଜଗତରେ ଥିଲେ, ଏବଂ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲେ ମଧ୍ୟ, ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11ସେ ନିଜ ରାଜ୍ୟକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12ତଥାପି ଯେଉଁମାନେ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ; 13ସ୍ୱାଭାବିକଭାବେ ମନୁଷ୍ୟର ଇଚ୍ଛାରୁ, ଅବା ପୁରୁଷର ଅଭିଳାଷରୁ ଜାତ ନ ହୋଇ, ଏମାନେ ଈଶ୍ୱରଙ୍କଠାରୁ ଜାତ।

14ସେହି ବାକ୍ୟ ଶରୀରଧାରଣ କଲେ ଏବଂ ଆମ ସଙ୍ଗରେ ବାସ କଲେ। ସେ ଅନୁଗ୍ରହ ଓ ସତ୍ୟରେ ପୂର୍ଣ୍ଣ ହୋଇ, ପିତାଙ୍କ ନିକଟରୁ ଆସିଲେ, ଓ ଆମେ ତାହାଙ୍କର ମହିମା ଦେଖିଲୁ, ତାହା ଥିଲା ଏକମାତ୍ର ପୁତ୍ରଙ୍କ ମହିମା।

15ଯୋହନ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ଉଚ୍ଚସ୍ଵରରେ କହିଲେ, ଯାହାଙ୍କ ସମ୍ବନ୍ଧରେ ମୁଁ ଏହା କହିଥିଲି, ଯେ ମୋ ଉତ୍ତାରେ ଆସୁଛନ୍ତି ସେ ମୋର ଅଗ୍ରଣୀ ହୋଇଛନ୍ତି, କାରଣ ସେ ମୋ ପୂର୍ବରୁ ଥିଲେ ଏ ହେଉଛନ୍ତି ସେହି ବ୍ୟକ୍ତି। 16ତାହାଙ୍କ ଅନୁଗ୍ରହର ପୂର୍ଣ୍ଣତାରୁ ଆମେ ସମସ୍ତେ ଆଶୀର୍ବାଦ ପରେ ଆଶୀର୍ବାଦ ଲାଭ କରିଛୁ। 17କାରଣ ମୋଶାଙ୍କ ମାଧ୍ୟମରେ ବିଧିବ୍ୟବସ୍ଥା ପ୍ରଦତ୍ତ ହେଲା; କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁଗ୍ରହ ଓ ସତ୍ୟତା ଆସିଲା। 18କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ମାତ୍ର ପିତାଙ୍କ କୋଳସ୍ଥିତ ଏକମାତ୍ର ପୁତ୍ର, ତାହାଙ୍କୁ ପ୍ରକାଶ କରିଅଛନ୍ତି।

ଡୁବକ ଯୋହନ ନିଜର ପରିଚୟ ଦେଲେ

19ଯୋହନ କିଏ ବୋଲି ପଚାରିବା ପାଇଁ ଯିରୂଶାଲମର ଯିହୁଦୀମାନେ ଯେତେବେଳେ ଯାଜକ ଓ ଲେବୀୟମାନଙ୍କୁ ପଠାଇଲେ ସେତେବେଳେ ଯୋହନ ଏହି ସାକ୍ଷ୍ୟ ଦେଇଥିଲେ। 20ସେ ଅସ୍ୱୀକାର ନ କରି, ମୁକ୍ତକଣ୍ଠରେ ସ୍ୱୀକାର କରି କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”

21ସେମାନେ ତାଙ୍କୁ ପଚାରିଲେ, “ତା ହେଲେ ଆପଣ କିଏ? ଆପଣ କଅଣ ଏଲିୟ?” ସେ କହିଲେ, “ମୁଁ ନୁହେଁ।” “ଆପଣ କଅଣ ସେହି ଭାବବାଦୀ?” ସେ ଉତ୍ତର ଦେଇ କହିଲେ, “ନା।”

22ଶେଷରେ ସେମାନେ କହିଲେ, “ଆପଣ କିଏ? ଆମକୁ ପଠାଇଥିବା ଲୋକମାନଙ୍କୁ, ଆମେ ଯେପରି ଉତ୍ତର ଦେଇପାରିବୁ ଏଥିପାଇଁ ଆପଣ ନିଜ ବିଷୟରେ କଅଣ କହୁଛନ୍ତି?”

23ଭାବବାଦୀ ଯିଶାଇୟ ଯେପରି କହିଥିଲେ ସେହି ଉକ୍ତି କରି ସେ କହିଲେ, “ମୁଁ ହେଉଛି ମରୁପ୍ରାନ୍ତରରେ ଚିତ୍କାର କରି କହୁଥିବା ଜଣକର ସ୍ଵର, ‘ପ୍ରଭୁଙ୍କ ପାଇଁ ପଥ ସଳଖ କର।’ ”

24ତା ପରେ ଫାରୂଶୀମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପଠାଗଲା 25ସେମାନେ ତାଙ୍କୁ ପ୍ରଶ୍ନ କଲେ, “ଆପଣ ଯଦି ଖ୍ରୀଷ୍ଟ ଅବା ଏଲିୟ, ଅବା ସେହି ଭାବବାଦୀ ନୁହନ୍ତି, ତା ହେଲେ କାହିଁକି ଡୁବନ ଦେଉଅଛନ୍ତି?”

26ଯୋହନ ଉତ୍ତର କଲେ, “ମୁଁ ଜଳରେ ଡୁବନ ଦେଉଅଛି,” କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ଏପରି ଜଣେ ବିଦ୍ୟମାନ ଅଛନ୍ତି ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ। 27ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ମୋ ପରେ ଆସୁଅଛନ୍ତି, ଓ ଯାହାଙ୍କ ପାଦୁକାର ଫିତା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ।

28ଯର୍ଦ୍ଦନର ଅପରପାର୍ଶ୍ୱସ୍ଥ ବେଥାନୀରେ ଯୋହନ ଡୁବନ ଦେଉଥିବା ସ୍ଥାନରେ, ଏହିସମସ୍ତ ଘଟିଥିଲା।

ଯୀଶୁ ଈଶ୍ୱରଙ୍କ ମେଷଶାବକ

29ପରବର୍ତ୍ତୀ ଦିନ ଯୋହନ ନିଜ ନିକଟକୁ ଯୀଶୁଙ୍କୁ ଆସିବାର ଦେଖି କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି! 30ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସମ୍ବନ୍ଧରେ ମୁଁ କହିଥିଲି, ‘ଜଣେବ୍ୟକ୍ତି ମୋ ଉତ୍ତାରେ ଆସି ମୋର ଅଗ୍ରଣୀ ହୋଇଛନ୍ତି କାରଣ ସେ ମୋ ପୂର୍ବରୁ ଥିଲେ।’ 31ମୁଁ ନିଜେ ତାହାଙ୍କୁ ଜାଣି ନ ଥିଲି, ମାତ୍ର ସେ ଇସ୍ରାଏଲରେ ଯେପରି ପରିଚିତ ହୁଅନ୍ତି ଏହି କାରଣରୁ ମୁଁ ଜଳରେ ଡୁବନ ଦେବାକୁ ଆସିଛି।”

32ତତ୍ପରେ ଯୋହନ ଏହି ସାକ୍ଷ୍ୟ ଦେଇ କହିଲେ: “ମୁଁ ଆତ୍ମାଙ୍କୁ କପୋତ ରୂପେ ସ୍ଵର୍ଗରୁ ଅବତରଣ କରି ତାହାଙ୍କ ଉପରେ ଅବସ୍ଥାନ କରିବାର ଦେଖିଲି। 33ଯେ ମୋତେ ଜଳରେ ଡୁବନ ଦେବା ପାଇଁ ପଠାଇଲେ ସେ ମୋତେ କହିଲେ, ‘ଯାହାଙ୍କ ଉପରେ ଆତ୍ମା ଅବତରଣ କରି ଅବସ୍ଥାନ କରିବାର ଦେଖିବ, ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ପବିତ୍ରଆତ୍ମାଙ୍କ ଦ୍ଵାରା ଡୁବନ ଦେବେ ସେ ଏ କଥା କହି ନ ଥିଲେ ମୁଁ ତାହାଙ୍କୁ ଚିହ୍ନ ନ ଥା ନ୍ତି।’ 34ମୁଁ ଦେଖିଅଛି ଓ ସାକ୍ଷ୍ୟ ଦେଉଅଛି ଯେ ଏ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”

ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ

35ପରବର୍ତ୍ତୀ ଦିନ ଯୋହନ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହ ପୁନର୍ବାର ସେଠାରେ ଥିଲେ। 36ଯେତେବେଳେ ସେ ଯୀଶୁଙ୍କୁ ସେହି ବାଟ ଦେଇ ଯିବାର ଦେଖିଲେ, ସେ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ!”

37ଯେତେବେଳେ ଶିଷ୍ୟଦ୍ଵୟ ତାଙ୍କୁ ଏହି କଥା କହିବାର ଶୁଣିଲେ, ସେମାନେ ଯୀଶୁଙ୍କର ପଛେ ପଛେ ଗଲେ। 38ଯୀଶୁ ବୁଲିପଡ଼ି, ସେମାନଙ୍କୁ ପଛରେ ଆସୁଥିବାର ଦେଖି ପଚାରିଲେ, “ତୁମେମାନେ କଅଣ ଚାହଁ?” ସେମାନେ କହିଲେ, “ରାବ୍ବୀ” ଅର୍ଥାତ୍ “ଗୁରୁ” ଆପଣ କେଉଁଠାରେ ରହୁଛନ୍ତି?

39ସେ ଉତ୍ତର ଦେଲେ, ଆସ, ଦେଖିବ। ତେଣୁ ସେମାନେ ଯାଇ ତାଙ୍କର ରହିବା ସ୍ଥାନ ଦେଖିଲେ, ଓ ସେହି ଦିନଟି ତାହାଙ୍କ ସହିତ ଅତିବାହିତ କଲେ। ସେତେବେଳକୁ ପ୍ରାୟ ଦଶ ଘଣ୍ଟା ହୋଇଥିଲା।

40ଯୋହନଙ୍କ କଥା ଶୁଣି ଯେଉଁ ଦୁଇଜଣ ଯୀଶୁଙ୍କର ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶିମୋନ, ପିତରଙ୍କ ଭାଇ ଆନ୍ଦ୍ରିୟ। 41ଆନ୍ଦ୍ରିୟ ପ୍ରଥମେ ନିଜ ଭାଇ ଶିମୋନଙ୍କୁ ଖୋଜିଲେ ଓ ତାଙ୍କ ଦେଖା ପାଇ କହିଲେ, ଆମେ ମସୀହଙ୍କର ଅର୍ଥାତ୍, ଖ୍ରୀଷ୍ଟଙ୍କର ସନ୍ଧାନ ପାଇଛୁ। 42ତତ୍ପରେ ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଓ ଯୀଶୁ ତାଙ୍କୁ ଅନାଇ କହିଲେ, “ତୁମେ ଯୋହନଙ୍କ ପୁତ୍ର ଶିମୋନ। ତୁମେ କେଫା ଅର୍ଥାତ୍ ପିତର ବୋଲି ପରିଚିତ ହେବ।”

ଫିଲିପ ଓ ନିଥନିଏଲଙ୍କ ଆହ୍ଵାନ

43ପରବର୍ତ୍ତୀ ଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପଙ୍କ ଦେଖା ପାଇ, ତାଙ୍କୁ କହିଲେ, “ମୋର ଅନୁଗମନ କର।”

44ଆନ୍ଦ୍ରିୟ, ଓ ପିତରଙ୍କ ପରି, ଫିଲିପ ବେଥ୍‌ସାଇଦାର ଅଧିବାସୀ ଥିଲେ। 45ଫିଲିପ ନିଥନିଏଲଙ୍କ ଦେଖା ପାଇ ତାଙ୍କୁ କହିଲେ, “ଯାହାଙ୍କ ବିଷୟରେ ମୋଶା ବିଧିବ୍ୟବସ୍ଥାରେ ଲେଖିଥିଲେ, ପୁଣି ଭାବବାଦୀମାନେ ମଧ୍ୟ ଲେଖିଥିଲେ ଆମେ ତାହାଙ୍କର ସନ୍ଧାନ ପାଇଛୁ, ସେ ଯୋସେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।”

46ନିଥନିଏଲ ପ୍ରଶ୍ନ କଲେ, “ନାଜରିତ! ସେଠାରୁ କୌଣସି ଉତ୍ତମ ବିଷୟର କଅଣ ଉତ୍ପତ୍ତି ହୋଇପାରେ?” ଫିଲିପ କହିଲେ। “ଆସି ଦେଖ।”

47ଯୀଶୁ ନିଥନିଏଲଙ୍କୁ ନିଜ ନିକଟକୁ ଆସିବାର ଦେଖି, ତାଙ୍କ ବିଷୟରେ କହିଲେ, “ହେଇ ଦେଖ ଜଣେ ପ୍ରକୃତ ଇସ୍ରାଏଲୀୟ ଏହାଙ୍କଠାରେ ଲେଶମାତ୍ର ଛଳନା ନାହିଁ।”

48ନିଥନିଏଲ ପଚାରିଲେ, “ଆପଣ ମୋତେ ଜାଣିଲେ କିପରି?” ଯୀଶୁ ଉତ୍ତର ଦେଲେ, “ଫିଲିପ ତୁମକୁ ଡାକିବା ପୂର୍ବରୁ ତୁମେ ଯେଉଁ ସମୟରେ ଡିମ୍ବିରି ଗଛ ତଳେ ଥିଲେ ମୁଁ ତୁମକୁ ଦେଖିଲି।”

49ତତ୍ପରେ ନିଥନିଏଲ କହିଲେ, “ଗୁରୁ, ଆପଣ ହିଁ ଈଶ୍ୱରଙ୍କ ପୁତ୍ର; ଆପଣ ହିଁ ଇସ୍ରାଏଲର ରାଜା।”

50ଯୀଶୁ କହିଲେ, “ମୁଁ ତୁମକୁ ଡିମ୍ବିରି ଗଛ ତଳେ ଦେଖିଲି ବୋଲି କହିବାରୁ ତୁମେ ବିଶ୍ୱାସ କରୁଛ। ତୁମେ ଏହାଠାରୁ ଆହୁରି ଅଧିକ ମହତ୍ ବିଷୟସବୁ ଦେଖିବ।” 51ସେ ଆହୁରି ମଧ୍ୟ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ‘ସ୍ଵର୍ଗକୁ ଉନ୍ମୁକ୍ତ ହେବାର, ଓ ମନୁଷ୍ୟପୁତ୍ରଙ୍କ ଉପର ଦେଇ ଈଶ୍ୱରଙ୍କ ଦୂତମାନଙ୍କୁ ଆରୋହଣ’ ଓ ଅବତରଣ କରିବାର ଦେଖିବ।”

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]