Skip to content
The Believer's Library

Biblica® Open Odia Contemporary Bible

Luke 24 OOCB

Side by side with the Father's Heart Bible™

ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ

1ସପ୍ତାହର ପ୍ରଥମ ଦିବସର, ଅତି ପ୍ରତ୍ୟୁଷରେ, ସ୍ତ୍ରୀଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧିଦ୍ରବ୍ୟ ନେଇ ସମାଧି ନିକଟକୁ ଗଲେ। 2ସେମାନେ ଦେଖିଲେ ଯେ ସମାଧି ଦ୍ଵାରରୁ ପଥରଟା ଗଡ଼ାଇ ଦିଆଯାଇଛି, 3କିନ୍ତୁ ସେମାନେ ଭିତରେ ପ୍ରବେଶ କରି, ପ୍ରଭୁ ଯୀଶୁଙ୍କର ଶରୀର ପାଇଲେ ନାହିଁ। 4ସେହି ବିଷୟରେ ସେମାନେ ଆଶ୍ଚର୍ଯ୍ୟବୋଧ କରୁଥିବା ସମୟରେ, ହଠାତ୍ ଆଲୋକୋଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇଜଣ ବ୍ୟକ୍ତି ସେମାନଙ୍କ ପାଖରେ ଠିଆ ହେଲେ। 5ଭୟରେ ସ୍ତ୍ରୀଲୋକମାନେ ଅଧୋମୁଖ ହେଲେ, କିନ୍ତୁ ସେହି ବ୍ୟକ୍ତିମାନେ ସେମାନଙ୍କୁ କହିଲେ, “ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବିତଙ୍କୁ କାହିଁକି ଖୋଜୁଛ? 6ସେ ଏଠାରେ ନାହାନ୍ତି: ସେ ମୃତ୍ୟୁରୁ ଉଠିଅଛନ୍ତି! ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ଯେଉଁ କଥା କହିଥିଲେ, ତାହା ସ୍ମରଣ କର: 7‘ପାପୀମାନଙ୍କ ହସ୍ତରେ ମନୁଷ୍ୟପୁତ୍ରଙ୍କୁ ସମର୍ପିତ ହେବାକୁ ହେବ, କ୍ରୁଶବିଦ୍ଧ ହେବାକୁ ହେବ ଏବଂ ତୃତୀୟ ଦିବସରେ ମୃତ୍ୟୁରୁ ପୁନରୁତ୍ଥିତ ହେବାକୁ ହେବ।’ ” 8ସେତେବେଳେ ତାହାଙ୍କର କଥାସବୁ ସେମାନଙ୍କର ମନେ ପଡ଼ିଲା।

9ସମାଧିରୁ ଫେରିଯାଇ, ସେମାନେ ଏକାଦଶ ଶିଷ୍ୟଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଏହିସବୁ କହିଲେ। 10ଏମାନେ ଥିଲେ, ମଗ୍‌ଦଲିନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ସେମାନଙ୍କ ସଙ୍ଗରେ ଥିବା ଅନ୍ୟମାନେ ସେମାନେ ଯାଇ ପ୍ରେରିତଶିଷ୍ୟମାନଙ୍କୁ ଏହା କହିଲେ। 11ମାତ୍ର ସେମାନେ ସ୍ତ୍ରୀମାନଙ୍କୁ ବିଶ୍ୱାସ କଲେ ନାହିଁ, କାରଣ ସେମାନଙ୍କ କଥାଗୁଡ଼ିକ ମନଗଢ଼ା କାହାଣୀ ପରି ମନେ ହେଲା। 12କିନ୍ତୁ ପିତର, ଉଠି, ସମାଧି ନିକଟକୁ ଦୌଡ଼ିଗଲେ। ନଇଁପଡ଼ି, ସେ କେବଳ ସୂତୀଲୁଗାଗୁଡ଼ାକ ପଡ଼ିଥିବାର ଦେଖିଲେ, ଏବଂ ସେହି ଘଟନାରେ ବିସ୍ମୟାନ୍ୱିତ ହୋଇ ଫେରିଗଲେ।

ଇମ୍ମାୟୁ ପଥରେ

13ସେହିଦିନ ସେମାନଙ୍କ ମଧ୍ୟରୁ ଦୁଇଜଣ ଯିରୂଶାଲମରୁ ପ୍ରାୟ ସାତ ମାଇଲ ଦୂରବର୍ତ୍ତୀ, ଇମ୍ମାୟୁ ବୋଲି ଏକ ଗ୍ରାମକୁ ଯାଉଥିଲେ। 14ଯାହାସବୁ ଘଟି ଯାଇଥିଲା ସେହି ସମସ୍ତ ବିଷୟରେ ସେମାନେ ପରସ୍ପର କଥାବାର୍ତ୍ତା କରୁଥିଲେ। 15ସେମାନେ କଥାବାର୍ତ୍ତା ଓ ଆଲୋଚନା କରୁଥିବା ସମୟରେ, ସ୍ଵୟଂ ଯୀଶୁ ନିକଟକୁ ଆସି ସେମାନଙ୍କ ସହିତ ଚାଲିବାକୁ ଲାଗିଲେ। 16କିନ୍ତୁ ସେମାନଙ୍କର ଚକ୍ଷୁ ରୁଦ୍ଧ କରାଯାଇଥିବାରୁ ତାହାଙ୍କୁ ଚିହ୍ନିଲେ ନାହିଁ।

17ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ ଚାଲୁ ଚାଲୁ କେଉଁ ବିଷୟ ଆଲୋଚନା କରୁଛ?” ସେମାନେ ବିଷଣ୍ଣ ମୁଖରେ ଠିଆ ହୋଇଗଲେ।

18ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ, ତାହାଙ୍କୁ ପଚାରିଲେ, “ଯିରୂଶାଲମବାସୀଙ୍କ ମଧ୍ୟରେ ଆପଣ କଅଣ ଏକମାତ୍ର ବ୍ୟକ୍ତି, ଯେ କି ଏହି କିଛିଦିନ ଭିତରେ ଯାହାସବୁ ସେଠାରେ ଘଟିଯାଇଛି ସେହିବିଷୟ କିଛି ଜାଣନ୍ତି ନାହିଁ?”

19ସେ ପ୍ରଶ୍ନ କଲେ, “କେଉଁସବୁ ବିଷୟ?” ସେମାନେ ଉତ୍ତର କଲେ। “ନାଜରିତର ଯୀଶୁଙ୍କ ବିଷୟ,” ସେ ଥିଲେ ଜଣେ ଭାବବାଦୀ, ଏବଂ ଈଶ୍ୱର ତଥା ସବୁ ମନୁଷ୍ୟଙ୍କ ସାକ୍ଷାତରେ ବାକ୍ୟ ଓ କାର୍ଯ୍ୟରେ ଶକ୍ତିଶାଳୀ ଥିଲେ।

20ପ୍ରଧାନଯାଜକ ଓ ଆମର ଅଧ୍ୟକ୍ଷମାନେ ତାହାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ରୋମୀୟମାନଙ୍କ ହାତରେ ସମର୍ପଣ କରିଦେଲେ, ଓ ସେମାନେ ତାଙ୍କୁ କ୍ରୁଶବିଦ୍ଧ କଲେ; 21କିନ୍ତୁ ସେହି ବ୍ୟକ୍ତି ହିଁ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମେ ଆଶା କରିଥିଲୁ। ଏହାଛଡ଼ା, ଏସମସ୍ତ ଘଟିବାର ଆଜି ହେଉଛି ତୃତୀୟ ଦିବସ। 22ଆହୁରି ମଧ୍ୟ, ଆମର କେତେଜଣ ସ୍ତ୍ରୀଲୋକ ଆମକୁ ଆଚମ୍ବିତ କରିଦେଇଛନ୍ତି। ସେମାନେ ଆଜି ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ 23କିନ୍ତୁ ତାହାଙ୍କର ଶରୀର ପାଇଲେ ନାହିଁ ଓ ଫେରିଆସି ଆମକୁ କହିଲେ ଯେ ସେମାନେ ସ୍ଵର୍ଗଦୂତମାନଙ୍କର ଦର୍ଶନ ପାଇଛନ୍ତି, ଓ ଯୀଶୁ ଯେ ଜୀବିତ ଏହା ଦୂତମାନେ କହିଛନ୍ତି। 24ତା ପରେ ଆମର ସଙ୍ଗୀମାନଙ୍କ ମଧ୍ୟରୁ କେତେଜଣ ସମାଧି ନିକଟକୁ ଗଲେ ଓ ସ୍ତ୍ରୀଲୋକମାନେ ଯେପରି କହିଥିଲେ, ଠିକ ସେହିପରି ଦେଖିଲେ ମାତ୍ର ଯୀଶୁଙ୍କୁ ଦେଖିଲେ ନାହିଁ।

25ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କେଡ଼େ ନିର୍ବୋଧ, ଭାବବାଦୀମାନେ ଯାହାସବୁ କହିଛନ୍ତି ସେସବୁ ବିଶ୍ୱାସ କରିବାରେ ତୁମ୍ଭମାନଙ୍କର ହୃଦୟ କେଡ଼େ ଶିଥିଳ! 26ଏହିସମସ୍ତ ଦୁଃଖଭୋଗ କରି ନିଜ ଗୌରବରେ ପ୍ରବେଶ କରିବା କଅଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା?” 27ତହୁଁ ସେ ମୋଶାଙ୍କଠାରୁ ଆରମ୍ଭ କରି ସବୁ ଭାବବାଦୀଙ୍କ ପର୍ଯ୍ୟନ୍ତ ସମୁଦାୟ ଧର୍ମଶାସ୍ତ୍ରରେ ନିଜ ସମ୍ବନ୍ଧରେ ଯାହା କଥିତ ଅଛି, ତାହା ସେମାନଙ୍କୁ ବୁଝାଇଲେ।

28ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ ତାହା ନିକଟ ହେବାରୁ ଯୀଶୁ ଏପରି ଭାବ ଦେଖାଇଲେ, ସତେ ଯେପରି ସେ ଆହୁରି ଆଗକୁ ଯିବେ। 29କିନ୍ତୁ ସେମାନେ ତାହାଙ୍କୁ ଅତିଶୟ ବଳାଇ କହିଲେ, “ସନ୍ଧ୍ୟା ହୋଇ ଆସୁଛି; ବେଳ ଗଡ଼ିଗଲାଣି, ଆମ ସହିତ ରହିଯାଆନ୍ତୁ।” ତେଣୁ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ।

30ସେମାନେ ଭୋଜନ କରିବାକୁ ବସିଲା ପରେ, ସେ ରୋଟୀ ନେଇ, ଧନ୍ୟବାଦ ଦେଲେ, ଓ ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଆରମ୍ଭ କଲେ। 31ସେତେବେଳେ ସେମାନଙ୍କ ଆଖି ଖୋଲିଗଲା ସେମାନେ ତାହାଙ୍କୁ ଚିହ୍ନିପାରିଲେ, ଏବଂ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। 32ସେମାନେ ପରସ୍ପରକୁ କହିଲେ, “ବାଟରେ ସେ ଆମ ସହିତ କଥାବାର୍ତ୍ତା କଲାବେଳେ ଓ ଆମକୁ ଧର୍ମଶାସ୍ତ୍ର ବୁଝାଇଲା ବେଳେ ଆମ ଅନ୍ତର କଅଣ ଉତ୍ତପ୍ତ ହେଉ ନ ଥିଲା?”

33ସେମାନେ ଉଠି ସେହିକ୍ଷଣି ଯିରୂଶାଲମକୁ ଫେରିଗଲେ। ସେଠାରେ ସେମାନେ ଏକାଦଶ ଶିଷ୍ୟଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ, ଏକାଠି ସମବେତ ହୋଇଥିବା ଦେଖିଲେ। 34ଏବଂ ଏହି କଥା କହୁଥିବା ଶୁଣିଲେ, “ପ୍ରଭୁ ଅବଶ୍ୟ ଉଠିଛନ୍ତି! ଓ ଶିମୋନଙ୍କୁ ଦର୍ଶନ ଦେଇଛନ୍ତି।” 35ତା ପରେ ସେହି ଦୁଇଜଣ ବାଟରେ କଣ ଘଟିଲା, ଓ ଯୀଶୁ ରୋଟୀ ଭାଙ୍ଗିଲା ବେଳେ ସେମାନେ କିପରି ତାହାଙ୍କୁ ଚିହ୍ନିଲେ ଏସବୁ କଥା ବର୍ଣ୍ଣନା କଲେ।

ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ

36ସେମାନେ ଏହି ବିଷୟ କଥାବାର୍ତ୍ତା ହେଉଥିବା ବେଳେ, ଯୀଶୁ ନିଜେ ସେମାନଙ୍କ ମଧ୍ୟରେ ଉଭା ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”

37ସେମାନେ ଚକିତ ଓ ଭୀତତ୍ରସ୍ତ ହୋଇ, ଭୂତ ଦେଖୁଛନ୍ତି ବୋଲି ଭାବିଲେ। 38ସେ ସେମାନଙ୍କୁ କହିଲେ, “କାହିଁକି ତୁମେମାନେ ଉଦ୍‌ବିଗ୍ନ, କାହିଁକି ତୁମମାନଙ୍କ ମନରେ ସନ୍ଦେହ ଉଠୁଛି? 39ମୋର ହାତ ଓ ପାଦ ଦେଖ। ଏ ତ ସ୍ଵୟଂ ମୁଁ! ମୋତେ ସ୍ପର୍ଶ କରି ଦେଖ; ମୋର ଯେପରି ମାଂସ ଓ ଅସ୍ଥି ଥିବାର ଦେଖୁଛ, ଭୂତର ସେପରି ନ ଥାଏ।”

40ସେ ଏହା କହିବା ପରେ, ସେମାନଙ୍କୁ ନିଜର ହାତ ଓ ପାଦ ଦେଖାଇଲେ। 41ତଥାପି ସେମାନେ ଆନନ୍ଦ ଓ ବିସ୍ମୟ ହେତୁ ଆହୁରି ଅବିଶ୍ୱାସ କରିବାରୁ, ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମମାନଙ୍କ ପାଖେ କିଛି ଖାଦ୍ୟ ଅଛି କି?” 42ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ, 43ସେ ତାହା ନେଇ ସେମାନଙ୍କ ସାକ୍ଷାତରେ ଖାଇଲେ।

44ସେ ସେମାନଙ୍କୁ କହିଲେ, “ମୁଁ ତୁମମାନଙ୍କ ସଙ୍ଗରେ ଥିଲାବେଳେ ଏହି କଥା ହିଁ ତୁମ୍ଭମାନଙ୍କୁ କହିଥିଲି: ମୋଶାଙ୍କ ବିଧିବ୍ୟବସ୍ଥାରେ ଭାବବାଦୀମାନଙ୍କ ଶାସ୍ତ୍ରରେ ଓ ଗୀତସଂହିତାରେ ମୋ ସମ୍ବନ୍ଧରେ ଯାହାସବୁ ଲେଖାଅଛି, ସେ ପ୍ରତ୍ୟେକଟି ଅବଶ୍ୟ ସଫଳ ହେବ।”

45ଏଉତ୍ତାରେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝିପାରିବେ ଏଥିପାଇଁ ସେ ସେମାନଙ୍କର ଚିତ୍ତ ଦ୍ଵାର ଉନ୍ମୁକ୍ତ କଲେ। 46ସେ ସେମାନଙ୍କୁ କହିଲେ, “ଏହି କଥା ହିଁ ଲେଖାଅଛି ଯେ: ଖ୍ରୀଷ୍ଟ ଦୁଃଖଭୋଗ କରି ମୃତମାନଙ୍କ ମଧ୍ୟରୁ ତୃତୀୟ ଦିନରେ ଉତ୍ଥିତ ହେବେ। 47ପୁଣି ଯିରୂଶାଲମରୁ ଆରମ୍ଭ କରି, ସବୁ ଜାତିଙ୍କ ନିକଟରେ ତାହାଙ୍କ ନାମରେ ଅନୁତାପ ଓ ପାପକ୍ଷମାର ବାର୍ତ୍ତା ପ୍ରଚାର କରାଯିବ। 48ତୁମେମାନେ ଏସମସ୍ତ ବିଷୟର ସାକ୍ଷୀ। 49ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଇବି; କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତିରେ ଭୂଷିତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ।”

ଯୀଶୁଙ୍କର ସ୍ଵର୍ଗାରୋହଣ

50ତତ୍ପରେ ସେ ସେମାନଙ୍କୁ ବେଥାନୀର ଉପକଣ୍ଠ ବା ବାଟ ପର୍ଯ୍ୟନ୍ତ ନେଇଗଲେ, ଏବଂ ଉପରକୁ ହାତ ଟେକି ସେମାନଙ୍କୁ ଆଶୀର୍ବାଦ କଲେ। 51ଆଶୀର୍ବାଦ କରୁ କରୁ, ସେମାନଙ୍କଠାରୁ ଅନ୍ତର ହୋଇ ସେ ସ୍ଵର୍ଗକୁ ନୀତ ହେଲେ। 52ତତ୍ପରେ ସେମାନେ ତାହାଙ୍କର ଆରାଧନା କଲେ ଓ ମହା ଆନନ୍ଦରେ ଯିରୂଶାଲମକୁ ଫେରିଗଲେ। 53ସେମାନେ ନିରନ୍ତର ମନ୍ଦିରରେ ରହି ଈଶ୍ୱରଙ୍କର ସ୍ତୁତି କଲେ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]