Skip to content
The Believer's Library

Biblica® Open Odia Contemporary Bible

1 Corinthians 9 OOCB

Side by side with the Father's Heart Bible™

ପ୍ରେରିତଶିଷ୍ୟଭାବେ ପାଉଲଙ୍କ ଅଧିକାର

1ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତଶିଷ୍ୟ ନୁହେଁ? ମୁଁ କଅଣ ଆମର ପ୍ରଭୁଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କ ନିମନ୍ତେ ମୋର କାର୍ଯ୍ୟର ଫଳ ସ୍ଵରୂପ ନୁହଁ? 2ଅନ୍ୟମାନଙ୍କ ଦୃଷ୍ଟିରେ ମୁଁ ଜଣେ ପ୍ରେରିତଶିଷ୍ୟ ନହେଲେ ସୁଦ୍ଧା, ତୁମ୍ଭମାନଙ୍କ ଦୃଷ୍ଟିରେ ଅବଶ୍ୟ ଜଣେ ପ୍ରେରିତଶିଷ୍ୟ! କାରଣ ପ୍ରଭୁଙ୍କଠାରେ ଥିବାରୁ ତୁମ୍ଭେମାନେ ହେଉଛ ମୋର ପ୍ରେରିତଶିଷ୍ୟ ପଦର ମୁଦ୍ରାଙ୍କ ସ୍ଵରୂପ।

3ମୋର ବିଚାର କରିବାକୁ ବସିଥିବା ଲୋକମାନଙ୍କୁ ଏହା ହିଁ ମୋର ଆତ୍ମସମର୍ଥନ ସୂଚକ ଉତ୍ତର। 4ଭୋଜନପାନ କରିବାକୁ ଆମର କଅଣ ଅଧିକାର ନାହିଁ? 5ଅନ୍ୟ ପ୍ରେରିତ ଶିଷ୍ୟମାନେ, ପ୍ରଭୁଙ୍କର ଭ୍ରାତାମାନେ ଓ କେଫାଙ୍କ ପରି, ବିଶ୍ୱାସିନୀ ପତ୍ନୀକୁ ସଙ୍ଗରେ ନେଇ କେଉଁଠାକୁ ଯିବା ପାଇଁ ଆମର କଅଣ ଅଧିକାର ନାହିଁ? 6କିମ୍ବା ଜୀବିକାନିର୍ବାହ ପାଇଁ କେବଳ ମୋତେ ଓ ବର୍ଣ୍ଣବାଙ୍କୁ କଅଣ କାମ କରିବା ଦରକାର?

7କିଏ ନିଜ ଖର୍ଚ୍ଚରେ ସୈନିକ ରୂପେ କାର୍ଯ୍ୟ କରେ? କିଏ ଅଙ୍ଗୁରଉଦ୍ୟାନ କରି ଅଙ୍ଗୁର ଫଳ ଖାଏ ନାହିଁ? କିଏ ମେଷପାଳନ କରି ପଲରୁ ଦୁଗ୍‌ଧପାନ କରେ ନାହିଁ? 8ମୁଁ କଅଣ କେବଳ ମାନବୀୟ ଦୃଷ୍ଚିକୋଣରୁ ଏହା କହୁଛି? ବିଧିବ୍ୟବସ୍ଥା କଅଣ ଠିକ ଏହି କଥା କହେ ନାହିଁ? 9କାରଣ ମୋଶାଙ୍କ ବିଧିବ୍ୟବସ୍ଥାରେ ଲେଖାଅଛି: “ବେଙ୍ଗଳା ପକାଉଥିବା ବଳଦର ମୁହଁରେ ତୁଣ୍ଡି ବାନ୍ଧିବ ନାହିଁ।” ଈଶ୍ୱର କଅଣ କେବଳ ବଳଦ ବିଷୟରେ ଚିନ୍ତା କରନ୍ତି? 10ସେ କଅଣ ଆମ ପାଇଁ ମଧ୍ୟ, ଏହା କହିନାହାନ୍ତି? ହିଁ, ତାହା ଆମ ପାଇଁ ଲିଖିତ ହୋଇଥିଲା, କାରଣ ଯେ ହଳ କରେ ଓ ଯେ ବେଙ୍ଗଳା ପକାଏ ସେମାନେ ଫସଲରୁ ଭାଗ ପାଇବା ଆଶାରେ କାର୍ଯ୍ୟ କରିବା ଉଚିତ। 11ଆମେ ଯଦି ତୁମ୍ଭମାନଙ୍କମଧ୍ୟରେ ଆଧ୍ୟାତ୍ମିକ ବିହନ ବୁଣିଛୁ, ତେବେ ତୁମ୍ଭମାନଙ୍କଠାରୁ ପାର୍ଥୀବ ଫସଲ ଅମଳ କରିବା କଅଣ ଖୁବ୍ ବଡ଼ କଥା? 12ତୁମଠାରୁ ସାହାଯ୍ୟ ପାଇବାକୁ ଯଦି ଅନ୍ୟମାନଙ୍କର ଅଧିକାର ଅଛି, ଆମର କଅଣ ଆହୁରି ବେଶୀ ଅଧିକାର ରହିବା ଉଚିତ ନୁହେଁ? କିନ୍ତୁ ଆମେ ଏହି ଅଧିକାର କାର୍ଯ୍ୟକାରୀ କରି ନାହୁଁ। ବରଞ୍ଚ, ଖ୍ରୀଷ୍ଟଙ୍କ ସୁସମାଚାର ଯେପରି ବ୍ୟାହତ ନ ହୁଏ ଏଥିପାଇଁ ସବୁକିଛି ସହି ନେଇଛୁ।

13ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରନ୍ତି ସେମାନେ ଯେ ମନ୍ଦିରରୁ ନିଜର ଖାଦ୍ୟ ପାଆନ୍ତି, ଏବଂ ଯେଉଁମାନେ ବେଦିରେ ସେବାକାର୍ଯ୍ୟ କରନ୍ତି ସେମାନେ ଯେ ବେଦି ଉପରେ ଉତ୍ସର୍ଗିତ ବିଷୟରେ ଭାଗୀ ହୁଅନ୍ତି ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? 14ସେହିପ୍ରକାରେ, ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ସୁସମାଚାର ଦ୍ଵାରା ଜୀବିକାନିର୍ବାହ କରିବେ ବୋଲି ପ୍ରଭୁ ଆଦେଶ ଦେଇଛନ୍ତି।

15କିନ୍ତୁ ମୁଁ ଏହିସବୁ ଅଧିକାରରୁ କୌଣସିଟି ପ୍ରୟୋଗ କରି ନାହିଁ। ପୁଣି ତୁମ୍ଭେମାନେ ମୋ ପାଇଁ ଏହିସବୁ କରିବ ବୋଲି ଆଶା କରି ମୁଁ ଏହା ଲେଖୁନାହିଁ, ଏହି ଦର୍ପରୁ ମୋତେ କେହି ବଞ୍ଚିତ କରିବା ଅପେକ୍ଷା ମୋର ମରଣ ବରଂ ଭଲ। 16ତଥାପି ମୁଁ ଯଦି ସୁସମାଚାର ପ୍ରଚାର କରୁଅଛି, ତେବେ ସେଥିରେ ମୋର ଦର୍ପ କରିବାର କିଛି ନାହିଁ, କାରଣ ପ୍ରଚାର କରିବାକୁ ମୁଁ ବାଧ୍ୟ। ମୁଁ ଯଦି ସୁସମାଚାର ପ୍ରଚାର ନ କରେ ତେବେ ମୋତେ ଧିକ୍! 17ମୁଁ ଯଦି ସ୍ୱେଚ୍ଛାକ୍ରମେ ପ୍ରଚାର କରୁଛି, ତେବେ ମୋ ପାଇଁ ପୁରସ୍କାର ଅଛି; ଯଦି ସ୍ୱେଚ୍ଛାକ୍ରମେ କରୁ ନାହିଁ, ତେବେ ମୋ ଠାରେ ନ୍ୟସ୍ତ ହୋଇଥିବା କର୍ତ୍ତବ୍ୟ ମୁଁ କେବଳ ସମ୍ପାଦନ କରୁଛି। 18ତା ହେଲେ ମୋର ପୁରସ୍କାର କଅଣ? ସୁସମାଚାର ପ୍ରଚାର କାର୍ଯ୍ୟ କରିବା ହେତୁ ମୋର ଯେଉଁସବୁ ଦାବୀ ଅଛି, ତାହା ପ୍ରୟୋଗ ନ କରି ମୁଁ ଯେପରି ବିନାମୂଲ୍ୟରେ ସୁସମାଚାର ପ୍ରଚାର କରିପାରିବି ଏତିକି ମୋର ପୁରସ୍କାର।

19ମୁଁ ସ୍ୱାଧୀନ ଓ କାହାରି ଅଧୀନରେ ନାହିଁ, ତଥାପି ଯେତେ ସମ୍ଭବ ସେତେ ଲୋକଙ୍କୁ ମୁଁ ଯେପରି ଲାଭ କରିପାରିବି, ଏଥିପାଇଁ ନିଜକୁ ସମସ୍ତଙ୍କର ଦାସ କରିଛି। 20ଯିହୁଦୀମାନଙ୍କୁ ଲାଭ କରିବାକୁ, ମୁଁ ଯିହୁଦୀମାନଙ୍କ ନିକଟରେ ଜଣେ ଯିହୁଦୀ ପରି ହୋଇଛି। ବିଧିବ୍ୟବସ୍ଥା ଅଧୀନରେ ଥିବା ଲୋକଙ୍କୁ ମୁଁ ଯେପରି ଲାଭ କରିପାରିବି, ଏଥିପାଇଁ ବିଧିବ୍ୟବସ୍ଥା ଅଧୀନରେ ଥିବା ଲୋକଙ୍କ ନିକଟରେ ମୁଁ ବିଧିବ୍ୟବସ୍ଥାଧୀନ ଲୋକ ପରି ହୋଇଛି (ଯଦ୍ୟପି ମୁଁ ନିଜେ ବିଧିବ୍ୟବସ୍ଥା ଅଧୀନରେ ନାହିଁ)। 21ମୁଁ ଯେପରି ବିଧିବ୍ୟବସ୍ଥା ବହିର୍ଭୂତ ଲୋକଙ୍କୁ ଲାଭ କରିପାରିବି ଏଥିପାଇଁ ବିଧିବ୍ୟବସ୍ଥା ବହିର୍ଭୂତ ଲୋକଙ୍କ ନିକଟରେ ବିଧିବ୍ୟବସ୍ଥା ବହିର୍ଭୂତ ଲୋକ ପରି ହୋଇଛି, (ମୁଁ ଯେ ଈଶ୍ୱରଙ୍କ ବିଧିବ୍ୟବସ୍ଥାରୁ ମୁକ୍ତ ତା ନୁହେଁ ମାତ୍ର ଖ୍ରୀଷ୍ଟଙ୍କ ବିଧିବ୍ୟବସ୍ଥାର ଅଧୀନ ଅଟେ)। 22ଦୁର୍ବଳ ଲୋକଙ୍କୁ ଲାଭ କରିବାକୁ, ମୁଁ ଦୁର୍ବଳ ଲୋକଙ୍କ ନିକଟରେ ଦୁର୍ବଳ ହୋଇଛି। ମୁଁ ଯେପରି ଯେକୌଣସି ଉପାୟରେ କେତେକଙ୍କୁ ରକ୍ଷା କରିପାରିବି ଏଥିପାଇଁ ସବୁ ମନୁଷ୍ୟ ନିକଟରେ ସବୁକିଛି ହୋଇଛି। 23ମୁଁ ଯେପରି ସୁସମାଚାରର ଆଶୀର୍ବାଦରେ ଭାଗୀ ହୋଇପାରିବି, ଏଥିପାଇଁ ସୁସମାଚାର ସକାଶେ ମୁଁ ଏସମସ୍ତ କରିଥାଏ।

24ତୁମେ କଅଣ ଜାଣ ନାହିଁ ଯେ ଦୌଡ଼ ପ୍ରତିଯୋଗିତାରେ ସବୁ ପ୍ରତିଯୋଗୀ ଦୌଡ଼ନ୍ତି, କିନ୍ତୁ ଜଣେ କେବଳ ପୁରସ୍କାର ପାଏ? ତୁମେ ଏପରି ଭାବରେ ଦୌଡ଼ ଯେପରି ପୁରସ୍କାର ପାଇବ। 25ଯେକେହି କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦିଏ ସେସବୁ ବିଷୟରେ ଆତ୍ମସଂଯମ ଅଭ୍ୟାସ କରେ। ସେମାନେ ଏକ କ୍ଷୟଶୀଳ ମୁକୁଟ ପାଇବାକୁ ତାହା କରନ୍ତି, କିନ୍ତୁ ଆମେ ଏକ ଅକ୍ଷୟ ମୁକୁଟ ପାଇବାକୁ ତାହା କରୁ। 26ସେଥିପାଇଁ ମୁଁ ଲକ୍ଷ୍ୟହୀନଭାବେ ଦୌଡୁଥିବା ଲୋକ ପରି ଦୌଡ଼ୁ ନାହିଁ; ଶୂନ୍ୟକୁ ଆଘାତ କରିବା ଲୋକ ପରି ମୁଁ ମୁଷ୍ଟିଯୁଦ୍ଧ କରୁ ନାହିଁ। 27ଅନ୍ୟମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ ପୁରସ୍କାର ଲାଭ ପାଇଁ ଅଯୋଗ୍ୟ ବିବେଚିତ ହେବି, ଏଥିପାଇଁ ନିଜ ଶରୀରକୁ କଷ୍ଟ ଦେଇ ବଶରେ ରଖିଛି।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]