Skip to content
The Believer's Library

Biblica® Open Odia Contemporary Bible

Philippians 2 OOCB

Side by side with the Father's Heart Bible™

ଖ୍ରୀଷ୍ଟଙ୍କ ପରି ନମ୍ର ହୁଅ

1ଖ୍ରୀଷ୍ଟଙ୍କ ସହ ମିଳନରେ ଯଦି କିଛି ଉତ୍ସାହ ଲାଭ କରିଥାଅ, ଯଦି ତାହାଙ୍କ ପ୍ରେମରୁ ସାନ୍ତ୍ଵନାପାଇଥାଅ, ଯଦି ଆତ୍ମାଙ୍କ ସହଭାଗିତା ଲାଭ କରିଥାଅ, ଯଦି ତୁମଠାରେ ଦୟା ଓ ଅନୁକମ୍ପା ଥାଏ, 2ତେବେ ତୁମ୍ଭେମାନେ ସମଭାବାପନ୍ନ ହୁଅ, ଏବଂ ସେହି ପ୍ରେମରେ ଏକ ଆତ୍ମା, ଓ ଏକ ଲକ୍ଷ୍ୟରେ ଥାଇ ମୋର ଆନନ୍ଦ ସଂପୂର୍ଣ୍ଣ କର। 3ସ୍ୱାର୍ଥପରତା କିମ୍ବା ଅସାର ଗର୍ବ ହେତୁ କିଛି କର ନାହିଁ। କିନ୍ତୁ, ନମ୍ର ଭାବରେ ଅନ୍ୟମାନଙ୍କୁ ନିଜଠାରୁ ଉତ୍ତମ ମନେକର, 4ତୁମେ ପ୍ରତ୍ୟେକେ କେବଳ ନିଜର ସ୍ୱାର୍ଥ ନ ଦେଖି ଅନ୍ୟମାନଙ୍କର ମଙ୍ଗଳ ପ୍ରତି ମଧ୍ୟ ଦୃଷ୍ଟି ଦିଅ।

5ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନୋଭାବ ଥିଲା, ତୁମ୍ଭମାନଙ୍କର ମନୋଭାବ ସେହିପରି ହେଉ:

6ସେ ଈଶ୍ୱରରୂପୀ ହେଲେ ମଧ୍ୟ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବାଅଧିକାରକୁ ଧରି ରଖିବା ବିଷୟ ବୋଲି ମନେ କଲେ ନାହିଁ;

7ମାତ୍ର ସେ ନିଜକୁ ନିଃସ୍ଵ କଲେମନୁଷ୍ୟ ସଦୃଶ ହୋଇଦାସରୂପ ଧାରଣ କଲେ।

8ପୁଣି ମନୁଷ୍ୟ ରୂପରେ ଦୃଶ୍ୟମାନ ହୋଇନିଜକୁ ନମ୍ର କଲେଏବଂ ମୃତ୍ୟୁ ପର୍ଯ୍ୟନ୍ତ,ଏପରିକି କ୍ରୁଶରେ ମୃତ୍ୟୁଭୋଗ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ!

9ସେଥିପାଇଁ ଈଶ୍ୱର ତାହାଙ୍କୁ ଊର୍ଦ୍ଧ୍ୱତମ ସ୍ଥାନକୁ ଉନ୍ନୀତ କରିଅଛନ୍ତିଏବଂ ସବୁ ନାମ ଅପେକ୍ଷା ଶ୍ରେଷ୍ଠ ନାମ ଦେଇଅଛନ୍ତି,

10ଯେପରିକି ଯୀଶୁଙ୍କ ନାମରେ ସ୍ଵର୍ଗ,ମର୍ତ୍ତ୍ୟ ଓ ପାତାଳରେ ପ୍ରତ୍ୟେକ ଜାନୁ ନତ ହେବ,

11ଏବଂ ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ,ପ୍ରତ୍ୟେକ ଜିହ୍ଵା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

ତାରା ପରି ଦୀପ୍ତିମାନ ହୁଅ

12ହେ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ତ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୁଁ ଉପସ୍ଥିତ ଥିଲାବେଳେ ନୁହେଁ, ମାତ୍ର ମୁଁ ଅନୁପସ୍ଥିତ ଥିଲାବେଳେ ଆହୁରି ଅଧିକ ଆଜ୍ଞାବହ ହୋଇଅଛ ତେଣୁ ଭୟ ଓ କମ୍ପରେ ନିଜର ପରିତ୍ରାଣ ସମ୍ପନ୍ନ କରୁଥାଅ, 13କାରଣ ତାହାଙ୍କର ମଙ୍ଗଳମୟ ସଂକଳ୍ପ ଅନୁସାରେ ଇଚ୍ଛା ଜାତ କରାଇବାକୁ ଓ କାର୍ଯ୍ୟ କରାଇବାକୁ ସ୍ଵୟଂ ଈଶ୍ୱର ତୁମ୍ଭମାନଙ୍କ ଅନ୍ତରରେ ସକ୍ରିୟ ଅଛନ୍ତି।

14ଅସନ୍ତୋଷ ଓ ଯୁକ୍ତିତର୍କ ନ କରି ସମସ୍ତ କାର୍ଯ୍ୟ କର, 15ତା ହେଲେ ଏହି କୁଟିଳ ଓ ଭ୍ରଷ୍ଟ ପୀଢ଼ିର ଲୋକଙ୍କ ମଧ୍ୟରେ “ଈଶ୍ୱରଙ୍କର ଅନିନ୍ଦନୀୟ ସନ୍ତାନ ହୋଇ ତୁମ୍ଭେମାନେ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ହେବ,” ବିଶ୍ୱଜଗତରେ ନକ୍ଷତ୍ର ସ୍ଵରୂପେ ଦୀପ୍ତିମାନ ହେବ 16ଏହିରୂପେ ତୁମ୍ଭେମାନେ ଜୀବନଦାୟକ ବାକ୍ୟ ଧାରଣ କଲେ ମୁଁ ଯେ ବୃଥାରେ ଦୈଡ଼ି ନାହିଁ କି ପରିଶ୍ରମ କରି ନାହିଁ ଏଥିପାଇଁ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରିପାରିବି। 17ଯଦିବା ତୁମ୍ଭମାନଙ୍କ ବିଶ୍ୱାସଜନିତ ବଳିଦାନ ଓ ସେବା ଉପରେ ମୁଁ ପେୟନୈବେଦ୍ୟ ସ୍ଵରୂପେ ଢଳା ଯାଉଅଛି, ତଥାପି ମୁଁ ଆନନ୍ଦିତ ଓ ତୁମ ସମସ୍ତଙ୍କ ସହିତ ଉଲ୍ଲସିତ ହେଉଅଛି। 18ତେଣୁ ତୁମ୍ଭେମାନେ ମଧ୍ୟ ମୋ ସହିତ ଆନନ୍ଦିତ ଓ ଉଲ୍ଲସିତ ହୁଅ।

19ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇପାରିବି ବୋଲି ପ୍ରଭୁ ଯୀଶୁଙ୍କ ଉପରେ ଭରସା ରଖିଅଛି, ତା ହେଲେ ତୁମ୍ଭମାନଙ୍କ ବିଷୟରେ ସମ୍ବାଦ ପାଇ ମୁଁ ମଧ୍ୟ ଉତ୍ସାହ ଲାଭ କରିବି। 20ତୁମ୍ଭମାନଙ୍କ ବିଷୟରେ ତାଙ୍କ ପରି ପ୍ରକୃତ ହିତାକାଂକ୍ଷୀ, ମୋ ପାଖରେ ଆଉ କେହି ନାହିଁ। 21କାରଣ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଅନ୍ୱେଷଣ ନ କରି, ସମସ୍ତେ ନିଜ ସ୍ୱାର୍ଥ ଅନ୍ୱେଷଣ କରୁଅଛନ୍ତି। 22କିନ୍ତୁ ତୀମଥି ନିଜକୁ ଯେ ଯୋଗ୍ୟ ପ୍ରମାଣିତ କରିଅଛନ୍ତି ଏହା ତୁମ୍ଭେମାନେ ଜାଣ, କାରଣ ପୁତ୍ର ପିତାର ସହିତ କାର୍ଯ୍ୟ କଲା ପରି ସେ ମୋ ସହିତ ସୁସମାଚାରର କାର୍ଯ୍ୟ କରିଅଛନ୍ତି। 23ଅତଏବ, ମୋ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ରେ ତାଙ୍କୁ ପଠାଇବି ବୋଲି ମୋର ଆଶା ଅଛି। 24ପୁଣି ମୁଁ ନିଜେ ମଧ୍ୟ ଶୀଘ୍ର ଯାଇ ପାରିବି ବୋଲି ପ୍ରଭୁଙ୍କ ଉପରେ ଭରସା ରଖିଅଛି।

25କିନ୍ତୁ ଏପାଫ୍ରଦିତସ୍‌ଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ବୋଲି ମୁଁ ମନେ କଲି, ସେ ମୋର ଭ୍ରାତା, ସହକର୍ମୀ, ସହସଂଗ୍ରାମୀ, ପୁଣି ମୋର ପ୍ରୟୋଜନୀୟ ବିଷୟ ପୂରଣ କରିବାକୁ ତୁମ୍ଭେମାନେ ପଠାଇଥିବା ବାର୍ତ୍ତାବହ। 26ତୁମ ସମସ୍ତଙ୍କୁ ଦେଖିବା ପାଇଁ ସେ ଅତିଶୟ ଉତ୍ସୁକ ଏବଂ ସେ ଅସୁସ୍ଥ ବୋଲି ତୁମ୍ଭେମାନେ ଶୁଣିଥିବାରୁ ସେ ଦୁଃଖିତ। 27ବାସ୍ତବରେ ସେ ଅସୁସ୍ଥ ହୋଇ, ମୃତପ୍ରାୟ ହୋଇଥିଲେ। କିନ୍ତୁ ଈଶ୍ୱର ତାଙ୍କ ପ୍ରତି ଦୟା କଲେ, ପୁଣି କେବଳ ତାଙ୍କ ପ୍ରତି ନୁହେଁ, ମୋତେ ଦୁଃଖ ପରେ ଦୁଃଖରୁ ରକ୍ଷା କରିବାକୁ ମୋ ପ୍ରତି ମଧ୍ୟ ଦୟା କଲେ। 28ସେଥିପାଇଁ ତାଙ୍କୁ ପଠାଇବାକୁ ମୁଁ ଅଧିକ ଆଗ୍ରହାନ୍ୱିତ ହେଲି, ତାଙ୍କୁ ପୁନର୍ବାର ଦେଖି ତୁମ୍ଭେମାନେ ଆନନ୍ଦ ଲାଭ କରିବ ଓ ମୋର ଚିନ୍ତାଭାର ଲାଘବ ହେବ। 29ପ୍ରଭୁଙ୍କ ସକାଶେ ତାଙ୍କୁ ମହା ଆନନ୍ଦରେ ସ୍ୱାଗତ କର ଓ ତାଙ୍କ ପରି ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦର୍ଶନ କର, 30କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରି ନ ଥିଲ ତାହା ପୂରଣ କରିବାକୁ ସେ ନିଜ ଜୀବନକୁ ବିପନ୍ନ କରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ମୃତପ୍ରାୟ ହୋଇଥିଲେ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]