Skip to content
The Believer's Library

Biblica® Open Odia Contemporary Bible

Luke 7 OOCB

Side by side with the Father's Heart Bible™

ଶତସେନାପତିଙ୍କ ଅସାଧାରଣ ବିଶ୍ୱାସ

1ଯୀଶୁ ଲୋକଙ୍କ ପାଖରେ ଏହିସମସ୍ତ କଥା କହିସାରିବା ପରେ, କଫର୍ନାହୁମରେ ପ୍ରବେଶ କଲେ। 2ସେଠାରେ ଥିବା ଜଣେ ଶତସେନାପତିଙ୍କ ଦାସ, ପୀଡ଼ିତ ହୋଇ ମୃତପ୍ରାୟ ଥିଲା, ଏହି ଦାସ ତାହାର ମୁନିବର ଅତ୍ୟନ୍ତ ପ୍ରିୟପାତ୍ର ଥିଲା। 3ଶତସେନାପତି ଯୀଶୁଙ୍କ ବିଷୟ ଶୁଣିଲେ ଏବଂ ସେ ଯେପରି ଆସି ତାଙ୍କ ଦାସକୁ ସୁସ୍ଥ କରନ୍ତି, ଏହା ଅନୁରୋଧ କରିବାକୁ ଯିହୁଦୀମାନଙ୍କର କେତେକ କୁଳବୃଦ୍ଧଙ୍କୁ ତାହାଙ୍କ ନିକଟକୁ ପଠାଇଲେ। 4ସେମାନେ ଯୀଶୁଙ୍କ ନିକଟକୁ ଯାଇ ବିନୀତ ଅନୁରୋଧ କରି କହିଲେ, “ସେ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। 5କାରଣ ସେ ଆମ ଜାତିକୁ ଭଲ ପାଆନ୍ତି ଏବଂ ଆମର ଉପାସନାଗୃହ ନିର୍ମାଣ କରି ଦେଇଅଛନ୍ତି।” 6ତେଣୁ ଯୀଶୁ ସେମାନଙ୍କ ସହିତ ଗଲେ। ଘରେ ପହଞ୍ଚିବାକୁ ବେଶୀ ଦୂର ନ ଥିଲା, ଏପରି ସମୟରେ ଶତସେନାପତି ତାଙ୍କୁ ଏହି କଥା କହିବାକୁ କେତେକ ବନ୍ଧୁଙ୍କୁ ପଠାଇଲେ “ପ୍ରଭୁ, ଆପଣ କଷ୍ଟ କରନ୍ତୁ ନାହିଁ, କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ ଏପରି ଯୋଗ୍ୟତା ମୋର ନାହିଁ।

7ସେଥିପାଇଁ ମୁଁ ଆପଣଙ୍କ ନିକଟକୁ ଯିବା ପାଇଁ ନିଜକୁ ଯୋଗ୍ୟ ମଣିଲି ନାହିଁ। ପଦେ କଥା କହିଦେଲେ, ମୋର ଦାସ ସୁସ୍ଥ ହେବ। 8କାରଣ ମୁଁ ନିଜେ ଶାସନାଧୀନ, ଏବଂ ମୋ ଅଧୀନରେ ସୈନିକମାନେ ଅଛନ୍ତି। ମୁଁ ଜଣକୁ, ‘ଯାଅ,’ ବୋଲି ଆଜ୍ଞା କଲେ ସେ ଯାଏ; ଓ ଅନ୍ୟଜଣକୁ, ‘ଆସ,’ ବୋଲି ଆଜ୍ଞା କଲେ ସେ ଆସେ। ପୁଣି ମୋର କ୍ରୀତଦାସକୁ, ‘ଏହା କର୍,’ ବୋଲି କହିଲେ ସେ ତାହା କରେ।”

9ଏହା ଶୁଣି, ଯୀଶୁ ଆଶ୍ଚର୍ଯ୍ୟ ହେଲେ, ଏବଂ ସେ ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କ ଆଡ଼କୁ ବୁଲିପଡ଼ି, କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏପ୍ରକାର ପ୍ରଗାଢ଼ ବିଶ୍ୱାସ ମୁଁ ଇସ୍ରାଏଲରେ ସୁଦ୍ଧା ଦେଖିନାହିଁ।” 10ଯେଉଁମାନଙ୍କୁ ପଠାଯାଇଥିଲା ସେହି ଲୋକମାନେ ଗୃହକୁ ଫେରିଯାଇ ସେହି ଦାସକୁ ସୁସ୍ଥ ଦେଖିଲେ।

ବିଧବାର ମୃତ ପୁତ୍ର ଜୀବନ ପାଇଲା

11ଏହାପରେ ପରେ, ଯୀଶୁ ନାଇନ ସହରକୁ ଗଲେ, ଏବଂ ତାଙ୍କ ଶିଷ୍ୟମାନେ ଓ ଏକ ବିରାଟ ଜନତା ତାଙ୍କ ସହିତ ଗଲେ। 12ସେ ନଗରଦ୍ଵାର ନିକଟବର୍ତ୍ତୀ ହେଲା ବେଳକୁ, ଲୋକେ ଏକ ମୃତବ୍ୟକ୍ତିକୁ ବାହାରକୁ ବହି ଆଣୁଥିଲେ ମୃତ ବ୍ୟକ୍ତି ତାହାର ମାତାର ଏକମାତ୍ର ପୁତ୍ର ଥିଲା, ଓ ସେହି ସ୍ତ୍ରୀଟି ବିଧବା ଥିଲା। ସହରର ଅନେକ ଲୋକ ସେହି ବିଧବା ସହିତ ଯାଉଥିଲେ। 13ସେହି ବିଧବାକୁ ଦେଖି, ପ୍ରଭୁଙ୍କର ହୃଦୟ ତା ପ୍ରତି ଦୟାରେ ବିଗଳିତ ହେଲା। ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”

14ତତ୍ପରେ ସେ ପାଖକୁ ଯାଇ ଶବାଧାରକୁ ସ୍ପର୍ଶ କଲେ, ଏବଂ ଶବାଧାର ବାହକମାନେ ସ୍ଥିର ହୋଇ ଠିଆ ହୋଇଗଲେ। ସେ କହିଲେ, “ହେ ଯୁବକ, ମୁଁ ତୁମକୁ କହୁଛି, ଉଠ!” 15ମୃତ ବ୍ୟକ୍ତିଟି ଉଠି ବସିଲା ଓ କଥା କହିବାକୁ ଲାଗିଲା, ଯୀଶୁ ତାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।

16ଲୋକମାନେ ଭୟ ବିସ୍ମୟରେ ବିହ୍ଵଳିତ ହୋଇ ଈଶ୍ୱରଙ୍କର ସ୍ତୁତି କରି କହିଲେ। “ଆମ ମଧ୍ୟରେ ଜଣେ ମହାନ୍ ଭାବବାଦୀ ଆବିର୍ଭୂତ ହୋଇଛନ୍ତି, ଈଶ୍ୱର ଆପଣା ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି।” 17ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମଗ୍ର ଯିହୁଦା ଦେଶରେ ଓ ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ବ୍ୟାପିଗଲା।

ଯୀଶୁ ଓ ଡୁବକ ଯୋହନ

18ଯୋହନଙ୍କ ଶିଷ୍ୟମାନେ ଏହିସମସ୍ତ କଥା ତାଙ୍କୁ ଜଣାଇଲେ। 19ଯୋହନ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡାକି, ପ୍ରଭୁଙ୍କୁ ଏହି କଥା ପଚାରିବାକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା ଆପଣ କଣ ସେହି, ନା ଆମେ ଅନ୍ୟଜଣଙ୍କ ଅପେକ୍ଷାରେ ରହିବୁ?”

20ସେହି ଲୋକମାନେ ଯୀଶୁଙ୍କ ନିକଟକୁ ଯାଇ, କହିଲେ, “ଡୁବକ ଯୋହନ ଆମକୁ ଆପଣଙ୍କ ନିକଟକୁ ଏହି କଥା ପଚାରିବାକୁ ପଠାଇଛନ୍ତି, ‘ଯାହାଙ୍କର ଆସିବାର ଥିଲା ଆପଣ କଣ ସେହି, ନା ଆମେ ଅନ୍ୟଜଣଙ୍କ ଅପେକ୍ଷାରେ ରହିବୁ?’ ”

21ଠିକ ସେହି ସମୟରେ ଯୀଶୁ ଅନେକ ରୋଗୀ, ପୀଡ଼ିତ ଓ ଭୂତଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ, ଏବଂ ଅନେକ ଅନ୍ଧଲୋକଙ୍କୁ ଦୃଷ୍ଟିଶକ୍ତି ଦେଲେ। 22ତେଣୁ ସେ ବାର୍ତ୍ତାବହମାନଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ନିକଟକୁ ଫେରିଯାଇ ଯାହା ଯାହା ଦେଖିଲ ଓ ଶୁଣିଲ: ସେହିସବୁ ତାଙ୍କୁ ଜଣାଅ-ଅନ୍ଧମାନେ ଦୃଷ୍ଟି ପାଉଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଅଛନ୍ତି, ବଧିରମାନେ ଶୁଣୁଅଛୁନ୍ତି, ମୃତଲୋକେ ବଞ୍ଚି ଉଠୁଅଛନ୍ତି, ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହେଉଅଛି। 23ଯେଉଁ ମନୁଷ୍ୟ ମୋ ସକାଶେ ଝୁଣ୍ଟି ପଡ଼େ ନାହିଁ ସେ ଧନ୍ୟ।”

24ଯୋହନଙ୍କ ବାର୍ତ୍ତାବହମାନେ ଫେରିଯିବା ପରେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ, “ତୁମେମାନେ କଅଣ ଦେଖିବାକୁ ମରୁପ୍ରାନ୍ତରକୁ ଯାଇଥିଲ? କଅଣ ପବନରେ ଦୋହଲୁଥିବା ନଳ ତୃଣଟିଏ? 25ଯଦି ତା ନୁହେଁ, ତା ହେଲେ କଅଣ ଦେଖିବାକୁ ଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ନା, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧି ଭୋଗବିଳାସରେ କାଳ କାଟନ୍ତି ସେମାନେ ତ ରାଜ ପ୍ରାସାଦରେ ରହନ୍ତି। 26ତେବେ କଅଣ ଦେଖିବାକୁ ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ଠିକ କଥା, ମୁଁ କହେ, ସେ ଭାବବାଦୀଙ୍କ ଅପେକ୍ଷା ଶ୍ରେଷ୍ଠ। 27ଏହାଙ୍କ ବିଷୟରେ ଏପରି ଲେଖାଅଛି:“ ‘ମୁଁ ତୁମ ଆଗେ ମୋର ବାର୍ତ୍ତାବହଙ୍କୁ ପଠାଇବି,ସେ ତୁମ୍ଭ ଆଗେ ଯାଇ ପଥ ପ୍ରସ୍ତୁତ କରିବେ।’

28ମୁଁ ତୁମ୍ଭମାନଙ୍କୁ କହୁଛି, ନାରୀ ଗର୍ଭଜାତ ମନୁଷ୍ୟମାନଙ୍କ ମଧ୍ୟରେ ଯୋହନଙ୍କ ଅପେକ୍ଷା ଅଧିକ ମହାନ୍ ଆଉ କେହି ନାହିଁ; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ ନଗଣ୍ୟତମ ସେ ତାଙ୍କ ଅପେକ୍ଷା ମହାନ୍।”

29ଯୀଶୁଙ୍କର କଥା ଶୁଣି ଲୋକମାନେ, ଏପରିକି କରଆଦାୟକାରୀମାନେ ସୁଦ୍ଧା, ଈଶ୍ୱରଙ୍କ ମାର୍ଗ ଯଥାର୍ଥ ବୋଲି ସ୍ୱୀକାର କଲେ, କାରଣ ସେମାନେ ଯୋହନଙ୍କ ଦ୍ଵାରା ଡୁବନ ଗ୍ରହଣ କରିଥିଲେ। 30କିନ୍ତୁ ଫାରୂଶୀ ଓ ବ୍ୟବସ୍ଥାଶାସ୍ତ୍ର ବିଶାରଦମାନେ ଯୋହନଙ୍କ ଦ୍ଵାରା, ଡୁବନ ଗ୍ରହଣ ନ କରିବା ଦ୍ଵାରା ନିଜ ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପକୁ ଅଗ୍ରାହ୍ୟ କରିଥିଲେ।

31ଯୀଶୁ ପ୍ରଶ୍ନ କଲେ, “ତା ହେଲେ, ଏହି ଯୁଗର ଲୋକମାନଙ୍କୁ, ମୁଁ କାହା ସଙ୍ଗରେ ତୁଳନା କରିବି? ସେମାନେ କାହା ପରି? 32ଏମାନେ ହାଟବଜାରରେ ଖେଳୁଥିବା ପିଲାଙ୍କ ପରି ଯେଉଁମାନେ ପରସ୍ପରକୁ ଡାକି କହନ୍ତି:“ ‘ଆମେ ତୁମ ପାଇଁ ବଂଶୀ ବଜାଇଲୁ,ଅଥଚ ତୁମେମାନେ ନାଚିଲ ନାହିଁ;ଆମେ ବିଳାପ ଗୀତ ବୋଲିଲୁ,ଅଥଚ ତୁମେମାନେ କାନ୍ଦିଲ ନାହିଁ।’

33କାରଣ ଡୁବକ ଯୋହନ ସାଧାରଣ ଲୋକଙ୍କପରି ରୋଟୀ ଭୋଜନ କଲେ ନାହିଁ କିମ୍ବା ସୁରା ପାନ କଲେ ନାହିଁ, ଅଥଚ ତୁମ୍ଭେମାନେ କହୁଛ, ‘ତାକୁ ଭୂତ ଧରିଛି।’ 34ମନୁଷ୍ୟପୁତ୍ର ଆସି ସାଧାରଣ ଲୋକଙ୍କପରି ଭୋଜନ ଓ ପାନ କଲେ, ଅଥଚ ତୁମ୍ଭେମାନେ କହୁଛ, ‘ସେ ପେଟୁକ ଓ ମଦ୍ୟପ, ଏବଂ କରଆଦାୟକାରୀ ଓ ପାପୀମାନଙ୍କ ବନ୍ଧୁ।’ 35କିନ୍ତୁ ଜ୍ଞାନ ନିଜର ସନ୍ତାନମାନଙ୍କ ଦ୍ଵାରା ହିଁ ଯଥାର୍ଥ ବୋଲି ପ୍ରମାଣିତ ହୁଏ।”

ପାପିଷ୍ଠା ନାରୀ ଯୀଶୁଙ୍କୁ ତୈଳାଭିଷିକ୍ତ କଲା

36ଫାରୂଶୀମାନଙ୍କ ମଧ୍ୟରୁ ଜଣେ ରାତ୍ର ଭୋଜନ ପାଇଁ ଯୀଶୁଙ୍କୁ ନିମନ୍ତ୍ରଣ କଲେ, ଯୀଶୁ ତାଙ୍କ ଗୃହକୁ ଯାଇ ଭୋଜନରେ ବସିଲେ। 37ସେହି ସହରରେ ଥିବା ଜଣେ ପାପିଷ୍ଠା ନାରୀ ଯୀଶୁ ଫାରୂଶୀ ଗୃହରେ ଭୋଜନ କରୁଛନ୍ତି ବୋଲି ଯେତେବେଳେ ଶୁଣିଲା, ସେ ଏକ ପଥର ଫରୁଆରେ ସୁଗନ୍ଧତୈଳ ନେଇ ଆସିଲା। 38ସେ ଯୀଶୁଙ୍କ ପଛଆଡ଼େ ଠିଆ ହୋଇ କାନ୍ଦୁ କାନ୍ଦୁ, ଲୋତକରେ ତାଙ୍କର ପାଦ ସିକ୍ତ କଲା। ପୁଣି ନିଜ କେଶରେ ପାଦ ଦୁଇଟିକୁ ପୋଛି, ଚୁମ୍ୱନ କଲା ଓ ପାଦ ଉପରେ ସୁଗନ୍ଧତୈଳ ଢାଳି ଦେଲା।

39ଯେଉଁ ଫାରୂଶୀ ତାଙ୍କୁ ନିମନ୍ତ୍ରଣ କରିଥିଲେ ସେ ଏହା ଦେଖି, ମନେ ମନେ କହିଲେ, “ଏହି ବ୍ୟକ୍ତି ଯଦି ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଯିଏ ସ୍ପର୍ଶ କରୁଛି ସେ କିଏ ଓ କି ପ୍ରକାର ନାରୀ ତାହା ସେ ଜାଣି ପାରିଥାନ୍ତେ କାରଣ ସେ ଜଣେ ପାପୀଷ୍ଠା ଥିଲା।”

40ଯୀଶୁ ସେହି ଫାରୂଶୀଙ୍କୁ କହିଲେ, “ଶିମୋନ, ତୁମକୁ ମୋର କିଛି କହିବାର ଅଛି।” ଶିମୋନ ଉତ୍ତର ଦେଲେ, “ଗୁରୁ, କହନ୍ତୁ।”

41ଯୀଶୁ କହିଲେ। “ଜଣେ ମହାଜନର ଦୁଇଜଣ ଦେଶାଦାର ଥିଲେ। ଜଣେ ପାଞ୍ଚ ଶହ ଦୀନାର ଧାରିଥିଲା, ଓ ଅନ୍ୟ ଜଣକ ପଚାଶ ଦୀନାର। 42ପରିଶୋଧ କରିବାକୁ କିଛି ନ ଥିବାରୁ, ମହାଜନ ଉଭୟଙ୍କର ଋଣ ଛାଡ଼ କରିଦେଲେ। ଅତଏବ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ଭଲ ପାଇବ?”

43ଶିମୋନ ଉତ୍ତର ଦେଲେ, “ମୁଁ ମନେ କରୁଛି ଯାହାର ବେଶୀ ଋଣ ଛାଡ଼ କରାଗଲା ସେହି ଲୋକ।” ଯୀଶୁ କହିଲେ, “ତୁମର ବିଚାର ଠିକ।”

44ତହୁଁ ସେ ସେହି ସ୍ତ୍ରୀ ଆଡ଼କୁ ବୁଲି ଶିମୋନଙ୍କୁ କହିଲେ, “ଏହି ନାରୀକୁ ଦେଖୁଛ ତ? ମୁଁ ଯେତେବେଳେ ତୁମ ଘରକୁ ଆସିଲି। ତୁମେ ମୋର ପାଦ ଧୋଇବା ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏହି ନାରୀ ନିଜ ଲୁହରେ ରେ ମୋର ପାଦ ସିକ୍ତ କରି ଆପଣା କେଶରେ ପୋଛି ଦେଇଛି। 45ତୁମେ ମୋତେ ଚୁମ୍ୱନ କଲ ନାହିଁ, କିନ୍ତୁ, ମୁଁ ଭିତରକୁ ଆସିବା ସମୟଠାରୁ, ମୋର ପଦଚୁମ୍ବନ କରିବାରୁ ସେ କ୍ଷାନ୍ତ ହୋଇନାହିଁ। 46ତୁମେ ମୋ ମସ୍ତକରେ ତେଲ ଟିକେ ସୁଦ୍ଧା ଲଗାଇଲ ନାହିଁ, କିନ୍ତୁ ଏ ମୋର ପାଦ ଦୁଇଟିରେ ସୁଗନ୍ଧତୈଳ ମଖାଇଛି। 47ତେଣୁ, ମୁଁ କହୁଛି, ଏହାର ପାପ ଅନେକ ହେଲେ ସୁଦ୍ଧା କ୍ଷମା ଦିଆଯାଇଛି କାରଣ ସେ ବହୁତ ପ୍ରେମ କରିଛି। ମାତ୍ର ଯାହାର ଅଳ୍ପ ପାପକ୍ଷମା ହୋଇଛି ସେ ଅଳ୍ପ ପ୍ରେମ କରେ।”

48ଏହାପରେ ଯୀଶୁ ସେହି ନାରୀକୁ କହିଲେ, “ତୁମର ପାପସବୁ କ୍ଷମା ହୋଇଛି।”

49ଏହା ଶୁଣି ଖାଇବାକୁ ବସିଥିବା ଲୋକମାନେ ପରସ୍ପରକୁ କହିବାକୁ ଲାଗିଲେ, “ଏ କିଏ ଯେ ପାପ ସୁଦ୍ଧା କ୍ଷମା କରୁଛନ୍ତି?”

50ଯୀଶୁ ସେହି ସ୍ତ୍ରୀକୁ କହିଲେ, “ତୁମର ବିଶ୍ୱାସ ତୁମକୁ ପରିତ୍ରାଣ କରିଅଛି; ଶାନ୍ତିରେ ଯାଅ।”

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]