Skip to content
The Believer's Library

Biblica® Open Odia Contemporary Bible

John 12 OOCB

Side by side with the Father's Heart Bible™

ବେଥାନୀରେ ଯୀଶୁ ଅଭିଷିକ୍ତ ହେଲେ

1ନିସ୍ତାର ପର୍ବର ଛଅଦିନ ପୂର୍ବରୁ, ଯୀଶୁ ବେଥାନୀରେ ଉପସ୍ଥିତ ହେଲେ, ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେଠାରେ ରହୁଥିଲେ। 2ସେଠାରେ ଯୀଶୁଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜର ଆୟୋଜନ କରାଯାଇଥିଲା। ମାର୍ଥା ପରିବେଷଣ କରୁଥିଲେ, ଏବଂ ଯୀଶୁଙ୍କ ସହିତ ଯେଉଁମାନେ ଭୋଜନରେ ବସିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଲାଜାର। 3ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ଅତି ମୂଲ୍ୟବାନ୍, ବିଶୁଦ୍ଧ ଜଟାମାଂସୀର ସୁଗନ୍ଧି ତୈଳ ନେଇ; ଯୀଶୁଙ୍କର ପାଦରେ ଢାଳି ଦେଲେ ଏବଂ ନିଜ କେଶରେ ତାଙ୍କ ପାଦ ପୋଛି ଦେଲେ, ତୈଳର ସୁବାସରେ ଗୃହଟି ମହକି ଉଠିଲା।

4କିନ୍ତୁ ଶିଷ୍ୟମାନଙ୍କ ମଧ୍ୟରୁ, ଯିହୁଦା ଇଷ୍କାରିୟୋଥ ନାମକ ଶିଷ୍ୟ, ଯେ କି ପରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା, ସେ ପ୍ରତିବାଦ କରି କହିଲା, 5“ଏହି ସୁଗନ୍ଧି ତୈଳ ବିକ୍ରୀ କରି ଟଙ୍କାଟା ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି? ଏହାର ମୂଲ୍ୟ ତ ତିରିଶ ଦୀନାର।” 6ସେ ଯେ ଦରିଦ୍ରମାନଙ୍କ ପାଇଁ ଚିନ୍ତା କରୁଥିଲା ବୋଲି ଏହା କହିଲା ତା ନୁହେଁ କିନ୍ତୁ ସେ ଥିଲା ଚୋର; ଟଙ୍କାଥଳି ତା ଜିମାରେ ରହୁଥିବାରୁ, ସେଥିରେ ଯାହା ରଖା ଯାଉଥିଲା ତହିଁରୁ ସେ ନିଜ ପାଇଁ ନେଇ ଯାଉଥିଲା।

7ଯୀଶୁ ଉତ୍ତର ଦେଲେ, “ତାକୁ ଛାଡ଼ି ଦିଅ,” ମୋର କବର ପ୍ରାପ୍ତି ଦିନ ପାଇଁ ସେ ଯେପରି ଏହି ସୁଗନ୍ଧତୈଳ ସଞ୍ଚି ରଖିବ ଏଥିନିମନ୍ତେ ଏହା ଉଦ୍ଦିଷ୍ଟ ଥିଲା। 8ତୁମମାନଙ୍କ ମଧ୍ୟରେ ଦରିଦ୍ର ଲୋକେ ତ ସର୍ବଦା ଥିବେ, ମାତ୍ର ମୁଁ ସର୍ବଦା ତୁମମାନଙ୍କ ପାଖେ ନ ଥିବି।

9ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ଯୀଶୁ ସେଠାରେ ଅଛନ୍ତି ବୋଲି ଜାଣି ସେଠାକୁ ଗଲେ, ସେମାନେ କେବଳ ତାଙ୍କ ସକାଶେ ନୁହେଁ ମାତ୍ର ଯେଉଁ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାଙ୍କୁ ମଧ୍ୟ ଦେଖିବାକୁ ଗଲେ। 10ଅତଏବ ଲାଜାରଙ୍କୁ ମଧ୍ୟ ବଧ କରିବାକୁ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 11କାରଣ ଲାଜାରଙ୍କ ସକାଶେ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।

ଯୀଶୁଙ୍କର ବିଜୟ ଯାତ୍ରା

12ପରବର୍ତ୍ତୀ ଦିନ ପର୍ବ ପାଳିବାକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଛନ୍ତି ବୋଲି ଶୁଣିଲେ। 13ସେମାନେ ଖଜୁରି ବାହୁଙ୍ଗା ଧରି ତାହାଙ୍କୁ ଭେଟିବାକୁ ଯିବା ବେଳେ, ଉଚ୍ଚସ୍ଵରରେ କହୁଥିଲେ,“ହୋଶାନ୍ନା!”“ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ!”“ଧନ୍ୟ! ଇସ୍ରାଏଲର ରାଜା!”

14ଯୀଶୁ ଗୋଟିଏ ଗଧଛୁଆ ପାଇ ତା ଉପରେ ବସିଲେ, ଶାସ୍ତ୍ରରେ ଯେପରି ଲେଖାଅଛି:

15“ଆଗୋ ସିୟୋନ କନ୍ୟା, ଭୟ କର ନାହିଁ;ଦେଖ୍, ତୋର ରାଜା ଆସୁଛନ୍ତି,ସେ ଗଧଛୁଆ ଉପରେ ବସି ଆସୁଛନ୍ତି।”

16ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହିସବୁ କିଛି ବୁଝି ପାରିଲେ ନାହିଁ। ଯୀଶୁ ମହିମାନ୍ୱିତ ହେଲାପରେ ଏହିସବୁ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲିଖିତ ହୋଇଥିଲା ଓ ସେମାନେ ତାହାଙ୍କ ପ୍ରତି ସେସବୁ କରିଥିଲେ ତାହା ବୁଝିଲେ।

17ଯୀଶୁ ଲାଜାରଙ୍କୁ ସମାଧି ମଧ୍ୟରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ବେଳେ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନେ ଏହି କଥା ପ୍ରଚାର କରିବାକୁ ଲାଗିଲେ। 18ଯୀଶୁ ଏହି ଅଲୌକିକ କର୍ମ କରିଥିବା ବିଷୟ ଶୁଣିଥିବା ହେତୁ, ଅନେକ ଲୋକ, ତାଙ୍କୁ ଭେଟିବାକୁ ଯାଇଥିଲେ। 19ତେଣୁ ଫାରୂଶୀମାନେ ପରସ୍ପରକୁ କହିବାକୁ ଲାଗିଲେ, “ଦେଖୁଛ ତ, ତୁମେ କିଛି କରିପାରୁ ନାହଁ। ସାରା ଦୁନିଆଟା ତା ପଛରେ ଗଲାଣି!”

ଯୀଶୁଙ୍କର ମୃତ୍ୟୁ ବିଷୟରେ ପୂର୍ବସୂଚନା

20ପର୍ବ ସମୟରେ ଉପାସନା କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ କେତେକ ଗ୍ରୀକ ଲୋକ ଥିଲେ। 21ସେମାନେ ଗାଲିଲୀର ବେଥ୍‌ସାଇଦା ନିବାସୀ, ଫିଲିପଙ୍କ ନିକଟକୁ ଯାଇ, ଅନୁରୋଧ କରି କହିଲେ। “ମହାଶୟ,” ଆମେ ଯୀଶୁଙ୍କୁ ଦେଖିବାକୁ ଇଚ୍ଛା କରୁଛୁ। 22ଫିଲିପ ଯାଇ ଆନ୍ଦ୍ରିୟଙ୍କୁ କହିଲେ; ତା ପରେ ଆନ୍ଦ୍ରିୟ ଓ ଫିଲିପ ଯାଇ ଯୀଶୁଙ୍କୁ କହିଲେ।

23ଯୀଶୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ସମୟ ଆସିଛି। 24ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗହମ ଦାନାଟିଏ ଭୂମିରେ ପଡ଼ି ଯଦି ନ ମରେ, ତାହା ଗୋଟିଏମାତ୍ର ହୋଇ ରହିଥାଏ। କିନ୍ତୁ ଯଦି ମରେ, ତେବେ ଅନେକ ବୀଜ ଉତ୍ପନ୍ନ କରେ। 25ଯେକେହି ନିଜ ଜୀବନକୁ ପ୍ରିୟଜ୍ଞାନ କରେ ସେ ତାହା ହରାଇବ, କିନ୍ତୁ ଯେକେହି ଏହି ଜଗତରେ ନିଜ ଜୀବନକୁ ହେୟଜ୍ଞାନ କରେ ସେ ତାହା ଅନନ୍ତଜୀବନ ନିମନ୍ତେ ରକ୍ଷା କରିବ। 26ଯେକେହି ମୋର ସେବା କରେ ସେ ମୋର ଅନୁଗମନ କରୁ; ପୁଣି ମୁଁ ଯେଉଁଠାରେ, ମୋର ସେବକ ମଧ୍ୟ ସେହିଠାରେ ରହିବ। ଯେ ମୋର ସେବା କରେ ମୋର ପିତା ତାହାକୁ ସମ୍ମାନିତ କରିବେ।

27“ଏବେ ମୋର ହୃଦୟ ବ୍ୟଥିତ ହେଉଛି, ଓ ମୁଁ କଅଣ କହିବି? ‘ପିତା, ଏହି ସମୟରୁ ମୋତେ ଉଦ୍ଧାର କର’? ନା, ମୁଁ ତ ଏହି ଉଦ୍ଦେଶ୍ୟରେ ଏହି ସମୟ ପାଇଁ ଆସିଛି। 28ହେ ପିତା, ତୁମ୍ଭ ନାମକୁ ମହିମାନ୍ୱିତ କର!” ତତ୍ପରେ ଆକାଶରୁ ଏହି ବାଣୀ ହେଲା, “ମୁଁ ମହିମାନ୍ୱିତ କରିଛି, ଓ ପୁନର୍ବାର ମହିମାନ୍ୱିତ କରିବି।”

29ସେଠାରେ ଉପସ୍ଥିତ ଲୋକସମୂହ ତାହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ ଯେ ଜଣେ ସ୍ଵର୍ଗଦୂତ ତାହାଙ୍କ ସଙ୍ଗେ କଥା କହିଲେ।

30ଯୀଶୁ କହିଲେ, “ଏହି ବାଣୀ ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ମୋ ପାଇଁ ନୁହେଁ। 31ଏହି ଜଗତର ବିଚାରର ସମୟ ବର୍ତ୍ତମାନ ଆସିଛି; ଏବେ ଏହି ଜଗତର ଅଧିପତି ବିତାଡ଼ିତ ହେବ। 32କିନ୍ତୁ ମୋତେ, ଭୂମିରୁ ଉପରକୁ ଉଠାଗଲେ, ମୁଁ ସମସ୍ତଙ୍କୁ ମୋ ନିକଟକୁ ଆକର୍ଷଣ କରିବି।” 33ଏହା କହିବା ଦ୍ଵାରା ସେ କି ପ୍ରକାର ମୃତ୍ୟୁବରଣ କରିବାକୁ ଯାଉଛନ୍ତି, ତାହା ଦର୍ଶାଇଥିଲେ।

34ଲୋକମାନେ କହିଲେ, “ଖ୍ରୀଷ୍ଟ ଚିରକାଳ ରହିବେ ବୋଲି ଆମେ ବିଧିବ୍ୟବସ୍ଥାରୁ ଜାଣିଛୁ, ତେଣୁ ‘ମନୁଷ୍ୟପୁତ୍ର ଊର୍ଦ୍ଧ୍ୱକୁ ଉଠାଯିବେ ବୋଲି ତୁମେ କିପରି କହୁଛ’? ଏହି ‘ମନୁଷ୍ୟପୁତ୍ର କିଏ’?”

35ଏଉତ୍ତାରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପକାଳ ପାଇଁ ତୁମ୍ଭେମାନେ ଆଲୋକ ପାଇବ। ଅନ୍ଧକାର ତୁମକୁ ଆଚ୍ଛନ୍ନ କରିବା ପୂର୍ବରୁ, ଜ୍ୟୋତି ଥାଉଁ ଥାଉଁ ତହିଁରେ ଗମନାଗମନ କର। ଯେଉଁ ମନୁଷ୍ୟ ଅନ୍ଧକାରରେ ଚାଲେ ସେ କେଉଁଆଡ଼େ ଯାଉଛି ଜାଣେ ନାହିଁ। 36ତୁମ ନିକଟରେ ଜ୍ୟୋତି ଥାଉଁ ଥାଉଁ ଜ୍ୟୋତିରେ ବିଶ୍ୱାସ କର, ଯେପରି ତୁମ୍ଭେମାନେ ଜ୍ୟୋତିର ସନ୍ତାନ ହୋଇପାରିବ।” ଯୀଶୁ ଏହା କହିସାରିଲା ପରେ, ସେଠାରୁ ପ୍ରସ୍ଥାନ କରି ସେମାନଙ୍କଠାରୁ ଗୋପନରେ ରହିଲେ।

ଲୋକମାନଙ୍କର ଅବିଶ୍ୱାସ ଓ ବିଶ୍ୱାସ

37ଯୀଶୁ ଏହିସମସ୍ତ ଅଲୌକିକ କର୍ମ ସେମାନଙ୍କ ସାକ୍ଷାତରେ କରିଥିଲେ ସୁଦ୍ଧା, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ ନାହିଁ। 38ଏହା ଘଟିଲା ଯେପରି ଭାବବାଦୀ ଯିଶାଇୟଙ୍କ ଏହି ବାକ୍ୟ ସଫଳ ହେବ:“ହେ ପ୍ରଭୁ, କିଏ ଆମ ବାର୍ତ୍ତା ବିଶ୍ୱାସ କରିଅଛିଏବଂ କାହା ନିକଟରେ ପ୍ରଭୁଙ୍କର ବାହୁ ପ୍ରକାଶିତ ହୋଇଅଛି?”

39ସେମାନେ ଏହି କାରଣରୁ ବିଶ୍ୱାସ କରିପାରିଲେ ନାହିଁ, ଯେହେତୁ, ଯିଶାଇୟ ଅନ୍ୟତ୍ର ଏହିପ୍ରକାର କହିଅଛନ୍ତି:

40“ସେ ସେମାନଙ୍କ ଚକ୍ଷୁ ଅନ୍ଧ କରିଅଛନ୍ତିଓ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି,ଯଦ୍ଦ୍ୱାରା ସେମାନେ ଆଖିରେ ଦେଖିବେ ନାହିଁ,କି ହୃଦୟରେ ବୁଝିବେ ନାହିଁ,କିମ୍ବା ମୁଁ ଯେପରି ସେମାନଙ୍କୁ ସୁସ୍ଥ କରିବି ଏଥିପାଇଁ ଫେରିବେ ନାହିଁ।”

41ଯିଶାଇୟ ଏହା ବ୍ୟକ୍ତ କରିଥିଲେ କାରଣ ସେ ଯୀଶୁଙ୍କର ମହିମା ଦର୍ଶନ କରି ତାହାଙ୍କ ସମ୍ବନ୍ଧରେ କହିଥିଲେ।

42ଏହାସତ୍ତ୍ୱେ ଅନେକେ ଏପରିକି ନେତୃବର୍ଗଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ଫାରୂଶୀମାନଙ୍କ ସକାଶେ ସେମାନେ ନିଜର ବିଶ୍ୱାସମତ ସ୍ୱୀକାର କରୁ ନ ଥିଲେ କାରଣ କାଳେ ସମାଜଚ୍ୟୁତ ହେବେ ବୋଲି ସେମାନେ ଭୟ କରୁଥିଲେ; 43ଯେହେତୁ ସେମାନେ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବା ଅପେକ୍ଷା ମନୁଷ୍ୟଠାରୁ ପ୍ରଶଂସା ପାଇବାକୁ ଅଧିକ ଭଲ ପାଇଲେ।

44ଏହାପରେ ଯୀଶୁ ଉଚ୍ଚସ୍ଵରରେ କହିଲେ, “ଯେ ମୋ ଠାରେ ବିଶ୍ୱାସ କରେ ସେ ଯେ କେବଳ ମୋ ଠାରେ ବିଶ୍ୱାସ କରେ ତାହା ନୁହେଁ, ମାତ୍ର ସେ ମୋର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ। 45ସେ ଯେତେବେଳେ ମୋତେ ଦେଖେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଦେଖେ। 46ଯେ ମୋ ଠାରେ ବିଶ୍ୱାସ କରେ ସେ ଯେପରି ଅନ୍ଧକାରରେ ନ ରହେ, ଏଥିପାଇଁ ମୁଁ ଜ୍ୟୋତି ସ୍ଵରୂପେ ଜଗତକୁ ଆସିଛି।

47“ଯେଉଁ ମନୁଷ୍ୟ ମୋର ବାକ୍ୟସବୁ ଶୁଣି ସୁଦ୍ଧା ପାଳନ କରେ ନାହିଁ, ତାହାର ବିଚାର ମୁଁ କରେ ନାହିଁ। କାରଣ ମୁଁ ଜଗତର ବିଚାର କରିବାକୁ ଆସି ନାହିଁ, ବରଂ ଜଗତକୁ ଉଦ୍ଧାର କରିବାକୁ ଆସିଛି। 48ଯେ ମୋତେ ପ୍ରତ୍ୟାଖ୍ୟାନ କରେ ଓ ମୋର ବାକ୍ୟ ଗ୍ରହଣ କରେ ନାହିଁ; ତା ନିମନ୍ତେ ଏକ ବିଚାରକ ଅଛି, ମୁଁ କହିଥିବା ବାକ୍ୟ ହିଁ ଅନ୍ତିମ ଦିବସରେ ତାକୁ ଦୋଷୀ ସାବ୍ୟସ୍ତ କରିବ। 49କାରଣ ମୁଁ ମୋ ନିଜ ଇଚ୍ଛାରୁ କଥା କହି ନାହିଁ, କିନ୍ତୁ କଣ କହିବାକୁ ହେବ ଓ କିପରି କହିବାକୁ ହେବ ସେହି ବିଷୟରେ ମୋର ପ୍ରେରଣକର୍ତ୍ତା ପିତା ମୋତେ ଆଦେଶ ଦେଇଛନ୍ତି। 50ତାହାଙ୍କର ଆଜ୍ଞା ଯେ ଅନନ୍ତ ଜୀବନକୁ ପଥ କଢ଼ାଇ ନିଏ। ଏହା ମୁଁ ଜାଣେ। ତେଣୁ ପିତା ମୋତେ ଯାହା କହିବାକୁ କହିଛନ୍ତି ମୁଁ ଠିକ ତାହା ହିଁ କହେ।”

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]