Skip to content
The Believer's Library

Biblica® Open Odia Contemporary Bible

2 Corinthians 5 OOCB

Side by side with the Father's Heart Bible™

ଆମର ସ୍ଵର୍ଗୀୟ ନିବାସ

1କାରଣ ଆମେ ଜାଣୁ ଯେ ଆମର ଏହି ପାର୍ଥିବ ତମ୍ବୁ ଗୃହ ଯଦି ବିନଷ୍ଟ ହୁଏ, ତେବେ ଈଶ୍ୱରଙ୍କଠାରୁ ଆମ ପାଇଁ ଏକ ବାସସ୍ଥାନ, ଅର୍ଥାତ୍ ମନୁଷ୍ୟ ହସ୍ତ ଦ୍ଵାରା ନିର୍ମିତ ହୋଇ ନ ଥିବା, ଏକ ଚିରସ୍ଥାୟୀ ନିବାସ ସ୍ଵର୍ଗରେ ଅଛି। 2ଆମେ ଏବେ ଆର୍ତ୍ତନାଦ କରୁଛୁ, ଓ ଆମର ସ୍ଵର୍ଗୀୟ ନିବାସକୁ ବସ୍ତ୍ର ତୁଲ୍ୟ ପରିଧାନ କରିବା ଆକାଂକ୍ଷାରେ ରହିଛୁ, 3ଏହିରୂପେ ପରିହିତ ହେଲେ, ଆମେ ଉଲଙ୍ଗ ଦେଖାଯିବା ନାହିଁ। 4କାରଣ ଆମେ ଏହି ତମ୍ବୁରେ ଥିବା ବେଳେ, ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଛୁ, ଆମେ ଯେ ବସ୍ତ୍ରହୀନ ହୋଇ ରହିବାକୁ ଇଚ୍ଛା କରୁ ତା ନୁହେଁ ମାତ୍ର ସ୍ଵର୍ଗୀୟ ନିବାସ ରୂପ ବସ୍ତ୍ର ପରିଧାନ କରିବାକୁ ଇଚ୍ଛା କରୁଅଛୁ, ଯେପରି ଯାହା ମରଣଶିଳ ତାହାକୁ ଜୀବନ ଗ୍ରାସ କରିବ। 5ସ୍ଵୟଂ ଈଶ୍ୱର ଏଥିପାଇଁ ଆମକୁ ପ୍ରସ୍ତୁତ କରିଅଛନ୍ତି, ଏବଂ ସେ ଯାହାସବୁ ଦେବେ, ତାହାର ଅଗ୍ରୀମ ଦାନ ସ୍ଵରୂପେ ପବିତ୍ରଆତ୍ମଙ୍କୁ ଦେଇଛନ୍ତି।

6ସେଥିପାଇଁ ଆମର ସର୍ବଦା ଏହି ଭରସା ଅଛି ଆମେ ଜାଣୁ ଯେ ଯେପର୍ଯ୍ୟନ୍ତ ଏହି ଶରୀରରୂପ ନିବାସରେ ରହିଛୁ ସେପର୍ଯ୍ୟନ୍ତ ପ୍ରଭୁଙ୍କଠାରୁ ଦୂରରେ ରହିଛୁ। 7ଆମେ ଦୃଶ୍ୟ ବିଷୟ ଦ୍ଵାରା ନୁହେ, ବିଶ୍ୱାସ ଦ୍ଵାରା ଜୀବନଯାପନ କରୁଛୁ। 8ଆମର ନିଶ୍ଚିତ ଭରସା ରହିଛି, ଏବଂ ଆମେ ଶରୀରଠାରୁ ଦୂରରେ ରହି ପ୍ରଭୁଙ୍କ ସହିତ ବାସ କରିବା ଅଧିକ ବାଞ୍ଚ୍ଥନୀୟ ବୋଲି ମନେ କରୁଛୁ। 9ଅତଏବ ଆମେ ଏହି ଶରୀରରୂପ ନିବାସରେ ଥାଉ କିମ୍ବା ତହିଁରୁ ଦୂରରେ ଥାଉ, ତାହାଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଲକ୍ଷ୍ୟ। 10କାରଣ ଏହି ଶରୀରରେ ଥାଇ ଆମେ ଭଲ ବା ମନ୍ଦ, ଯାହାକିଛି କରିଅଛୁ, ତାହାର ପ୍ରାପ୍ୟ ଫଳ ପାଇବା ପାଇଁ ଆମ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ।

ପୁନର୍ମିଳନର କାର୍ଯ୍ୟ

11ପ୍ରଭୁଙ୍କୁ ଭୟ କରିବା ଯେ କଅଣ, ତାହା ଆମେ ଜାଣିଥିବାରୁ, ମନୁଷ୍ୟମାନଙ୍କୁ ଅନୁଯୋଗ କରିବାକୁ ଚେଷ୍ଟା କରୁଛୁ। ଆମେ କି ପ୍ରକାର ମନୁଷ୍ୟ, ତାହା ଈଶ୍ୱରଙ୍କ ନିକଟରେ ସୁସ୍ପଷ୍ଟ ଏବଂ ମୋର ଆଶା ତାହା ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ସୁସ୍ପଷ୍ଟ। 12ଆମେ ତୁମ୍ଭମାନଙ୍କ ନିକଟରେ ପୁନର୍ବାର ଆମପ୍ରଶଂସା କରିବାକୁ ଚେଷ୍ଟା କରୁ ନାହୁଁ, ମାତ୍ର ତୁମ୍ଭମାନଙ୍କୁ ଆମ ବିଷୟରେ ଦର୍ପ କରିବାକୁ ସୁଯୋଗ ଦେଉଛ, ତା ହେଲେ ଯାହା ହୃଦୟ ମଧ୍ୟରେ ଅଛି ସେବିଷୟରେ ଯେଉଁମାନେ ଦର୍ପ ନ କରି ଦୃଶ୍ୟମାନ ବିଷୟରେ ଦର୍ପ କରନ୍ତି ସେମାନଙ୍କୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। 13ଆମେ ଯଦି, “ମତିଭ୍ରଷ୍ଟ,” ତେବେ, ତାହା ଈଶ୍ୱରଙ୍କ ନିମନ୍ତେ; ଆମେ ଯଦି ସୁବୋଧ, ତେବେ ତାହା ତୁମ୍ଭମାନଙ୍କନିମନ୍ତେ। 14ଯେହେତୁ ଖ୍ରୀଷ୍ଟଙ୍କ ପ୍ରେମ ଆମକୁ ଅଧିକାର କରି ଚାଳିତ କରୁଛି, କାରଣ ଆମେ ଦୃଢ଼ ନିଶ୍ଚିତ ଯେ ଜଣେ ସମସ୍ତଙ୍କ ପାଇଁ ମୃତ୍ୟୁବରଣ କରିଥିବାରୁ, ସମସ୍ତେ ମୃତ ହେଲେ। 15ଯେଉଁମାନେ ଜୀବିତ ସେମାନେ ଯେପରି ଆଉ ନିଜ ନିମନ୍ତେ ନ ବଞ୍ଚି ଯେ ସେମାନଙ୍କ ପାଇଁ ମୃତ୍ୟୁବରଣ କଲେ ଓ ପୁନରୁ ଉତ୍ଥିତ ହେଲେ ତାହାଙ୍କ ନିମନ୍ତେ ବଞ୍ଚିବେ, ଏଥିପାଇଁ ସେସମସ୍ତଙ୍କ ନିମନ୍ତେ ମଲେ।

16ଅତଏବ ଆମେ ଏବେଠାରୁ ଜାଗତିକ ଦୃଷ୍ଟିକୋଣରୁ କାହାରିକୁ ଦେଖୁ ନାହୁଁ। ଯଦିବା ଆମେ ଏକଦା ଖ୍ରୀଷ୍ଟଙ୍କୁ ଏହି ଭାବରେ ଦେଖୁଥିଲୁ, ଏବେ ଆଉ ସେପରି ଦେଖୁ ନାହୁଁ। 17ସେଥିପାଇଁ, କେହି ଯଦି ଖ୍ରୀଷ୍ଟଙ୍କଠାରେ ଥାଏ, ତେବେ ସେ ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟ ଲୋପ ପାଇଅଛି, ସବୁ ନୂତନ ବିଷୟ ହୋଇଛି! 18ଏହିସମସ୍ତ ଈଶ୍ୱରଙ୍କଠାରୁ ଆଗତ, ସେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ ତାହାଙ୍କ ସହିତ ପୁନର୍ମିଳିତ କରିଅଛନ୍ତି ଏବଂ ଆମକୁ ପୁନର୍ମିଳନର କାର୍ଯ୍ୟଭାର ଦେଇଛନ୍ତି: 19ଈଶ୍ୱର ମନୁଷ୍ୟମାନଙ୍କର ପାପ ସେମାନଙ୍କ ବିରୁଦ୍ଧରେ ଗଣନା ନ କରି, ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ପୁନର୍ମିଳିତ କରୁଥିଲେ। ଏବଂ ପୁନର୍ମିଳନର ବାର୍ତ୍ତା ଆମ ଉପରେ ନ୍ୟସ୍ତ କରିଅଛନ୍ତି। 20ତେଣୁ ଆମେ ହେଉଛୁ ଖ୍ରୀଷ୍ଟଙ୍କର ରାଜଦୂତ, ସତେ ଯେପରି ଈଶ୍ୱର ଆମ ଦ୍ଵାରା ଆହ୍ଵାନ କରୁଛନ୍ତି। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ତୁମ୍ଭମାନଙ୍କୁ ବିନତି କରୁଅଛୁ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ। 21ଯାହାଙ୍କଠାରେ ପାପର ଲେଶ ନ ଥିଲା ଈଶ୍ୱର ତାହାଙ୍କୁ ଆମ ପାଇଁ ପାପ ସ୍ଵରୂପ କଲେ, ଯେପରିକି ଆମେ ତାହାଙ୍କଠାରେ ଈଶ୍ୱରଙ୍କ ଧାର୍ମିକତା ସ୍ଵରୂପ ହେବୁ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]