Skip to content
The Believer's Library

Biblica® Open Odia Contemporary Bible

2 Corinthians 1 OOCB

Side by side with the Father's Heart Bible™

1ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତଶିଷ୍ୟ ହୋଇଥିବା ପାଉଲଙ୍କଠାରୁ ଓ ଆମର ଭାଇ ତୀମଥିଙ୍କଠାରୁ, କରିନ୍ଥୀରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ତଥା ସମଗ୍ର ଆଖାୟାରେ ଥିବା ସାଧୁବୃନ୍ଦଙ୍କୁ ଅଭିବାଦନ:

2ତୁମ୍ଭମାନଙ୍କ ପ୍ରତି ଆମର ପିତା ଈଶ୍ୱରଙ୍କଠାରୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।

ସାନ୍ତ୍ଵନାଦାତା ଈଶ୍ୱରଙ୍କର ସ୍ତୁତି ହେଉ

3ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଓ ଈଶ୍ୱରଙ୍କର ସ୍ତୁତି ହେଉ, ସେ କରୁଣାମୟ ପିତା ଓ ସର୍ବ ସାନ୍ତ୍ଵନାର ଆକର ଅଟନ୍ତି, 4ଈଶ୍ୱରଙ୍କଠାରୁ ଆମେ ଯେଉଁ ସାନ୍ତ୍ଵନା ଲାଭ କରିଥାଉ, ତଦ୍ଦ୍ୱାରା ନାନାଦି ଦୁଃଖକ୍ଳେଶ ଭୋଗୁଥିବା ଲୋକଙ୍କୁ ଆମେ ଯେପରି ସାନ୍ତ୍ଵନା ପ୍ରଦାନ କରିପାରୁ ଏଥିପାଇଁ ସେ ଆମକୁ ସର୍ବପ୍ରକାର ଦୁଃଖକ୍ଳେଶରେ ସାନ୍ତ୍ଵନା ଦିଅନ୍ତି। 5କାରଣ ଖ୍ରୀଷ୍ଟଙ୍କର ଦୁଃଖଭୋଗ ଆମ ଜୀବନରେ ଯେପରି ପ୍ରଚୁର, ଠିକ ସେହିପରି ଖ୍ରୀଷ୍ଟଙ୍କ ଦ୍ଵାରା ଆମ ପାଇଁ ସାନ୍ତ୍ଵନା ମଧ୍ୟ ପ୍ରଚୁର। 6ଆମେ ଯଦି ଦୁର୍ଦ୍ଦଶାପନ୍ନ, ତେବେ ତୁମ୍ଭମାନଙ୍କ ସାନ୍ତ୍ଵନା ଓ ପରିତ୍ରାଣ ନିମନ୍ତେ; ଆମେ ଯଦି ସାନ୍ତ୍ଵନାପ୍ରାପ୍ତ, ତେବେ ତାହା ତୁମର ସାନ୍ତ୍ଵନା ନିମନ୍ତେ, ଆମେ ଯେଉଁ ପ୍ରକାର ଦୁଃଖଭୋଗ କରୁଛୁ ସେହିପ୍ରକାର ଦୁଃଖ ସହିବାକୁ ସେହି ସାନ୍ତ୍ଵନା ତୁମଠାରେ ଧୈର୍ଯ୍ୟ ଉତ୍ପନ୍ନ କରେ। 7ପୁଣି ତୁମ ନିମନ୍ତେ ଆମର ଆଶା ଦୃଢ଼ ରହିଛି, କାରଣ ଆମେ ଜାଣିଛୁ ଯେ ଆମର ଦୁଃଖଭୋଗରେ ତୁମ୍ଭେମାନେ ଯେପରି ଭାଗୀ ହେଉଛ, ଠିକ ସେହିପରି ଆମର ସାନ୍ତ୍ଵନାରେ ମଧ୍ୟ ଭାଗୀ ହେଉଛ।

8ହେ ଭାଇମାନେ, ଏସିଆ ପ୍ରଦେଶରେ ଆମେ ଯେଉଁସବୁ ଦୁଃଖକଷ୍ଟ ଭୋଗ କଲୁ, ସେହି ବିଷୟରେ ତୁମ୍ଭେମାନେ ଅଜ୍ଞ ଥାଅ ବୋଲି ଆମର ଇଚ୍ଛା ନୁହେଁ। ଆମେ ଯେଉଁ ପ୍ରକାର ଚାପର ସମ୍ମୁଖୀନ ହେଲୁ, ତାହା ଆମର ସହିବା ଶକ୍ତିରୁ ଅତିଶୟ ଅଧିକ ଥିଲା, ଏପରିକି ଆମେ ଜୀବନର ଆଶା ସୁଦ୍ଧା ଛାଡ଼ିଦେଲୁ। 9ପ୍ରକୃତରେ, ଆମେ ମୃତ୍ୟୁଦଣ୍ଡାଦେଶ ପାଇଲା ପରି ହୃଦୟରେ ଅନୁଭବ କଲୁ। କିନ୍ତୁ ଆମେ ଯେପରି ନିଜ ଉପରେ ନିର୍ଭର ନ କରି ଯେଉଁ ଈଶ୍ୱର ମୃତଲୋକଙ୍କୁ ଉତ୍ଥିତ କରନ୍ତି, ତାହାଙ୍କ ଉପରେ ନିର୍ଭର କରୁ ଏଥିପାଇଁ ଏପରି ଘଟିଲା। 10ସେ ଆମକୁ ଏପ୍ରକାର ମାରାତ୍ମକ ସଂକଟରୁ ଉଦ୍ଧାର କଲେ ଏବଂ ଉଦ୍ଧାର କରିବେ। ତୁମ୍ଭେମାନେ ପ୍ରାର୍ଥନା ଦ୍ଵାରା ଆମକୁ ସାହାଯ୍ୟ କରୁଥିବାରୁ ସେ ଆମକୁ ଉଦ୍ଧାର କରୁଥିବେ ବୋଲି ଆମେ ତାହାଙ୍କ ଉପରେ ଭରସା ରଖିଛୁ, 11ତା ହେଲେ ଅନେକଙ୍କ ପ୍ରାର୍ଥନାର ଉତ୍ତର ସ୍ଵରୂପେ ଆମକୁ ଯେଉଁ ଅନୁଗ୍ରହ ପ୍ରଦତ୍ତ ହୋଇଛି। ସେଥିନିମନ୍ତେ ଆମ ସକାଶେ ଅନେକେ ଈଶ୍ୱରଙ୍କୁ ଧନ୍ୟବାଦ ଦେବେ।

12ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ସହ ଆମର ସମ୍ପର୍କରେ ଈଶ୍ୱରାଗତ ପବିତ୍ରତା ଓ ସରଳତାରେ ଆମେ ଯେଉଁ ପ୍ରକାର ଆଚରଣ କରିଛୁ, ସେବିଷୟରେ ଆମର ବିବେକ ଯେ ସାକ୍ଷ୍ୟ ଦିଏ। ଏହା ହିଁ ଆମର ଦର୍ପ, ଜାଗତିକ ଜ୍ଞାନରେ ନୁହେଁ, ମାତ୍ର ଈଶ୍ୱରଙ୍କ ଅନୁଗ୍ରହରେ ଆମେ ଏହା କରିପାରିଛୁ। 13କାରଣ ଯାହା ତୁମ୍ଭେମାନେ ପଢ଼ି ପାରିବ ନାହିଁ କି ବୁଝି ପାରିବ ନାହିଁ ଏପରି କୌଣସି ବିଷୟ ଆମେ ତୁମ ନିକଟକୁ ଲେଖୁ ନାହୁଁ, 14ପୁଣି ଆମର ଆଶା ଏହି ଯେ ତୁମ୍ଭେମାନେ ଆମକୁ ଯେପରି ଆଂଶିକଭାବେ ବୁଝିଅଛ, ଦିନେ ସପୂର୍ଣ୍ଣଭାବେ ବୁଝିବ, ଯଦ୍ଦ୍ୱାରା ପ୍ରଭୁ ଯୀଶୁଙ୍କ ପୁନରାଗମନ ଦିବସରେ ତୁମ୍ଭେମାନେ ଯେପରି ଆମର ଦର୍ପର କାରଣ ହେବ ଆମେ ମଧ୍ୟ ସେହିପରି ତୁମ୍ଭମାନଙ୍କର ଦର୍ପର କାରଣ ହୋଇପାରିବୁ।

15ଏ ବିଷୟରେ ମୁଁ ନିଶ୍ଚିତ ଥିବାରୁ, ତୁମ୍ଭେମାନେ ଯେପରି ଦ୍ୱିଗୁଣ ଆନନ୍ଦ ଲାଭ କରିବ ଏଥିପାଇଁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ପରିକଳ୍ପନା କରିଥିଲି। 16ମାସିଦୋନିଆକୁ ଯିବା ବାଟରେ ଏବଂ ମାସିଦୋନିଆରୁ ଫେରିବା ବାଟରେ, ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ପରିକଳ୍ପନା କରିଥିଲି ଏବଂ ତୁମ୍ଭେମାନେ ମୋତେ ଯିହୁଦା ପ୍ରଦେଶକୁ ଯିବା ପାଇଁ ବାଟ ବଳାଇ ଦେଇଥାଆନ୍ତ। 17ତା ହେଲେ ଏହି ପରିକଳ୍ପନା କଲାବେଳେ ମୁଁ କଅଣ ମନରେ ଦ୍ୱିଧା କରିଥିଲି? ଅଥବା ମୁଁ କଅଣ ଜାଗତିକ ମନୁଷ୍ୟ ପରି ମୋର ପରିକକ୍ପନାସବୁ ପ୍ରସ୍ତୁତ କରେ ଅର୍ଥାତ୍ ମୁଁ କଅଣ ଏକ ନିଶ୍ୱାସରେ “ହିଁ, ହିଁ” ଓ “ନାହିଁ, ନାହିଁ” କହିଥାଏ?

18କିନ୍ତୁ ଈଶ୍ୱର ବିଶ୍ୱସ୍ତ ବୋଲି ଯେପରି ସତ୍ୟ, ଏହା ମଧ୍ୟ ସେହିପରି ସତ୍ୟ ଯେ ତୁମ୍ଭମାନଙ୍କ ପ୍ରତି ଆମର ବାର୍ତ୍ତା “ହିଁ” ଓ “ନାହିଁ” ହୁଏ ନାହିଁ। 19କାରଣ ଈଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟ, ଯାହାଙ୍କୁ ମୁଁ, ଶୀଲା ଓ ତୀମଥି ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲୁ ସେ “ହିଁ” ଓ “ନାହିଁ,” ହୋଇ ନ ପାରନ୍ତି ମାତ୍ର ତାହାଙ୍କଠାରେ ସର୍ବଦା “ହିଁ” ହୋଇଥାଏ। 20କାରଣ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କର ସମସ୍ତ ପ୍ରତିଶ୍ରୁତି, “ହିଁ” ହୁଏ। ସେଥିଯୋଗୁଁ ତାହାଙ୍କ ମାଧ୍ୟମରେ ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଆମେ “ଆମେନ୍” ଉଚ୍ଚାରଣ କରିଥାଉ। 21ଆହୁରି ମଧ୍ୟ ସ୍ଵୟଂ ଈଶ୍ୱର ଆମ୍ଭମାନଙ୍କୁ ତଥା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଅଟଳ ରଖିଅଛନ୍ତି। ଏବଂ ଆମ୍ଭମାନଙ୍କୁ ଅଭିଷିକ୍ତ କରିଅଛନ୍ତି, 22ସେ ଆମ ଉପରେ ତାହାଙ୍କର ଅଧିକାରତ୍ଵର ମୁଦ୍ରାଙ୍କ ଦେଇଅଛନ୍ତି, ଓ ସେ ଆମକୁ ଯାହାସବୁ ଦେବେ, ତାହାର ଅଗ୍ରୀମ ଦାନ ସ୍ଵରୂପେ ଆମ ହୃଦୟରେ ପବିତ୍ରଆତ୍ମଙ୍କୁ ଦେଇଅଛନ୍ତି।

23ମୁଁ ଈଶ୍ୱରଙ୍କୁ ସାକ୍ଷୀ କରି କହୁଛି ଯେ, ତୁମ୍ଭମାନଙ୍କୁ ଦୁଃଖରୁ ରକ୍ଷା କରିବାକୁ ମୁଁ କରିନ୍ଥକୁ ଫେରି ଗଲି ନାହିଁ। 24ଆମେ ଯେ ତୁମ୍ଭମାନଙ୍କ ବିଶ୍ୱାସ ଉପରେ କର୍ତ୍ତୃତ୍ଵ କରୁ, ତା ନୁହେଁ ମାତ୍ର ତୁମ୍ଭମାନଙ୍କର ଆନନ୍ଦ ପାଇଁ ତୁମ ସହିତ କାର୍ଯ୍ୟ କରୁ, କାରଣ ବିଶ୍ୱାସରେ ତୁମ୍ଭେମାନେ ଅଟଳ ରହିଛ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]