Skip to content
The Believer's Library

Biblica® Open Odia Contemporary Bible

1 Timothy 2 OOCB

Side by side with the Father's Heart Bible™

ଉପାସନା ସମ୍ବନ୍ଧରେ ନିର୍ଦ୍ଦେଶାବଳୀ

1ଆମେ ଯେପରି ସଂପୂର୍ଣ୍ଣ ଈଶ୍ୱରପରାୟଣ ଓ ପବିତ୍ର ରହି ଶାନ୍ତି ଓ ନିର୍ବିଘ୍ନରେ, ଜୀବନଯାପନ କରିପାରିବୁ, ଏଥିପାଇଁ ସମସ୍ତଙ୍କ ପାଇଁ, 2ବିଶେଷରେ ରାଜା ଓ ଶାସକମାନଙ୍କ ପାଇଁ ବିନତି, ନିବେଦନ ଓ ଧନ୍ୟବାଦ ପ୍ରଥମରେ ଉତ୍ସର୍ଗ କରାଯାଉ ବୋଲି ମୁଁ ଅନୁରୋଧ କରୁଅଛି। 3ଏହା ଉତ୍ତମ ଓ ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କର ତୁଷ୍ଟିଜନକ, 4ସେ ଚାହାନ୍ତି, ସବୁ ମନୁଷ୍ୟ ପରିତ୍ରାଣ ପାଆନ୍ତୁ ଓ ସତ୍ୟ ସମ୍ଭନ୍ଧୀୟ ଜ୍ଞାନଲାଭ କରନ୍ତୁ। 5କାରଣ ଜଣେମାତ୍ର ଈଶ୍ୱର ଏବଂ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଜଣେମାତ୍ର ମଧ୍ୟସ୍ଥ ସେ ହେଉଛନ୍ତି ଜଣେ ମନୁଷ୍ୟ ଖ୍ରୀଷ୍ଟ ଯୀଶୁ, 6ଖ୍ରୀଷ୍ଟ ଯୀଶୁ ସବୁ ମନୁଷ୍ୟଙ୍କ ମୁକ୍ତିରମୂଲ୍ୟ ସ୍ଵରୂପେ ନିଜକୁ ଉତ୍ସର୍ଗ କରି ଯଥା ସମୟରେ ଏହାର ପ୍ରମାଣ ଦେଇଅଛନ୍ତି। 7ଏହି ଉଦ୍ଦେଶ୍ୟରେ ମୁଁ ଜଣେ ପ୍ରଚାରକ ଓ ପ୍ରେରିତ ରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ ଏବଂ ଅଣଯିହୁଦୀମାନଙ୍କ ନିକଟରେ ସତ୍ୟ ବିଶ୍ୱାସମତର ଶିକ୍ଷାଦାତା ହୋଇଅଛି।

8ମୋର ଇଚ୍ଛା, ପୁରୁଷମାନେ ସର୍ବତ୍ର ପବିତ୍ର ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିରୋଧଭାବ ନ ରଖି ପ୍ରାର୍ଥନା କରନ୍ତୁ। 9ମୋର ଆହୁରି ମଧ୍ୟ ଇଚ୍ଛା, ନାରୀମାନେ କେଶବିନ୍ୟାସ ଦ୍ଵାରା କିମ୍ବା ସ୍ଵର୍ଣ୍ଣ ବା ମଣିମୁକ୍ତା ବା ନାନାଦି ମୂଲ୍ୟବାନ ପୋଷାକ ଦ୍ଵାରା ଭୂଷିତା ନ ହୋଇ, 10ସୁରୁଚିସମ୍ପନ୍ନ ଓ ଯଥୋଚିତ ରୂପେ ବିନୀତ ଭାବରେ ଈଶ୍ୱରପରାୟଣା ନାରୀମାନଙ୍କ ଉପଯୋଗୀ ସତ୍କର୍ମରୂପ ଭୂଷଣରେ ଭୂଷିତା ହୁଅନ୍ତୁ।

11ସ୍ତ୍ରୀ ସଂପୂର୍ଣ୍ଣ ବଶୀଭୂତା ହୋଇ ନୀରବରେ ଶିକ୍ଷା ଗ୍ରହଣ କରିବା ଉଚିତ। 12ସ୍ତ୍ରୀ ଶିକ୍ଷା ଦେଉ କିମ୍ବା ପୁରୁଷ ଉପରେ ଆଧିପତ୍ୟ କରୁ ବୋଲି ମୁଁ ଅନୁମତି ଦେଉ ନାହିଁ; ସେ ନୀରବ ରହୁ। 13କାରଣ ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ, ତା ପରେ ହବା ହେଲେ। 14ପୁଣି ଆଦମ ପ୍ରତାରିତ ହୋଇ ନ ଥିଲେ; ନାରୀ ହିଁ ପ୍ରତାରିତ ହୋଇ ପାପରେ ପାପୀ ହେଲେ। 15କିନ୍ତୁ ସେମାନେ ଯଦି ଶିଷ୍ଟାଚରଣ ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହନ୍ତି, ତେବେ ସନ୍ତାନ ଜନ୍ମ ହେବା ବେଳେ ସୁରକ୍ଷିତ ହେବେ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]