Skip to content
The Believer's Library

Biblica® Open Odia Contemporary Bible

1 Corinthians 6 OOCB

Side by side with the Father's Heart Bible™

ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମକଦ୍ଦମା ବା ଆଇନ ମାମଲା

1ତୁମ ମଧ୍ୟରୁ କାହାରି ଯଦି ଅନ୍ୟ ବିରୁଦ୍ଧରେ ବିବାଦ ଥାଏ, ତେବେ ସେ ବିଚାର ପାଇଁ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକ ଲୋକଙ୍କ ନିକଟକୁ ଯିବା ପାଇଁ କିପରି ସାହସ କରୁଛି? 2ସାଧୁମାନେ ଯେ ଜଗତର ବିଚାର କରିବେ ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? ପୁଣି ତୁମ୍ଭେମାନେ ଯଦି ଜଗତର ବିଚାର କରିବାକୁ ଯାଉଛ, ତେବେ ସାମାନ୍ୟ ମାମଲାଗୁଡ଼ିକର ବିଚାର କରିବାକୁ ତୁମ୍ଭେମାନେ କଅଣ ଯୋଗ୍ୟ ନୁହଁ? 3ଆମେ ଯେ ଦୂତମାନଙ୍କର ବିଚାର କରିବା ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? ତେବେ ଆମେ ଇହ ଜୀବନର ବ୍ୟାପାରଗୁଡ଼ିକ କେତେ ଅଧିକ ରୂପେ ନ କରିପାରିବା! 4ଅତଏବ, ତୁମ୍ଭମାନଙ୍କର ଯଦି ଏହିପ୍ରକାର ବିବାଦ ଥାଏ, ତେବେ ମଣ୍ଡଳୀରେ ନଗଣ୍ୟ ବିବେଚିତ ହେଉଥିବା ଲୋକଙ୍କୁ ସୁଦ୍ଧା ବିଚାରକ ରୂପେ ନିଯୁକ୍ତ କର। 5ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଏ କଥା କହୁଛି। ଏହା କଅଣ ସମ୍ଭବ ଯେ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ ମୀମାଂସା କରିବାକୁ ତୁମ୍ଭମାନଙ୍କମଧ୍ୟରେ ବୁଦ୍ଧିମାନ କେହି ନାହିଁ? 6ତା ପରିବର୍ତ୍ତେ, ଜଣେ ଭାଇ ଅନ୍ୟ ଜଣକ ବିରୁଦ୍ଧରେ ନ୍ୟାୟାଳୟକୁ ଯାଉଛି ତା ପୁଣି ଅବିଶ୍ୱାସୀମାନଙ୍କ ସାକ୍ଷାତରେ!

7ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ମାଲି ମକଦ୍ଦମା କରୁଛ ତାହା ତୁମ୍ଭମାନଙ୍କର ସଂପୂର୍ଣ୍ଣ ପରାଜୟର ସୂଚନା ଦେଉଛି। ବରଞ୍ଚ ଅନ୍ୟାୟ ସହ୍ୟ କରୁ ନାହଁ କାହିଁକି? ବରଞ୍ଚ କ୍ଷତି ସହ୍ୟ କରୁ ନାହଁ କାହିଁକି? 8ତାହା କରିବା ପରିବର୍ତ୍ତେ, ତୁମ୍ଭେମାନେ ନିଜେ ପ୍ରତାରଣା ଓ ଅନ୍ୟାୟ କରୁଛ, ଏବଂ ଏହା ତୁମର ଭାଇମାନଙ୍କ ପ୍ରତି କରୁଛ। 9ଅଧାର୍ମିକ ଲୋକେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ଏହା କଅଣ ତୁମ୍ଭେମାନେ ଜାଣି ନାହଁ? ଭ୍ରାନ୍ତ ହୁଅ ନାହିଁ: ଯୌନଅସଦାଚାରୀ କି ପ୍ରତିମାପୂଜକ କି ବ୍ୟଭିଚାରୀ କି ବେଶ୍ୟାବୃତ୍ତିରେ ଲିପ୍ତ ପୁରୁଷମାନେ କି ସଦୋମୀମାନେ 10କିମ୍ବା ଚୋର କି ଲୋଭୀ କି ମଦ୍ୟପ କି ନିନ୍ଦୁକ କି ଜୁଆ ଚୋରମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। 11ତୁମ୍ଭମାନଙ୍କମଧ୍ୟରୁ କେହି କେହି ଏପ୍ରକାର ଲୋକ ଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏବଂ ଆମର ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ତୁମ୍ଭେମାନେ ଧୌତ, ପବିତ୍ରୀକୃତ, ଓ ଧାର୍ମିକ ରୂପେ ଗଣ୍ୟ ହୋଇଛ।

12“ମୋ ପାଇଁ ସବୁକିଛି ନ୍ୟାୟସଙ୍ଗତ,” କିନ୍ତୁ ସବୁକିଛି ମଙ୍ଗଳଜନକ ନୁହେଁ। “ମୋ ପାଇଁ ସବୁକିଛି ନ୍ୟାୟସଙ୍ଗତ” କିନ୍ତୁ ମୁଁ କୌଣସି ବିଷୟ ଦ୍ଵାରା ବଶୀଭୂତ ହେବି ନାହିଁ। 13“ଉଦର ପାଇଁ ଖାଦ୍ୟ, ଓ ଖାଦ୍ୟ ପାଇଁ ଉଦର କିନ୍ତୁ, ଈଶ୍ୱର ଏହି ଉଭୟକୁ ଲୋପ କରିବେ।” ଶରୀର, ଯୌନ ଅସଦାଚାର ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ନିମନ୍ତେ ଉଦ୍ଦିଷ୍ଟ, ଏବଂ ପ୍ରଭୁ ଶରୀର ନିମନ୍ତେ। 14ଈଶ୍ୱର ଆପଣା ଶକ୍ତିରେ ପ୍ରଭୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ସେ ଆମକୁ ମଧ୍ୟ ଉଠାଇବେ। 15ତୁମର ଶରୀର ସ୍ଵୟଂ ଖ୍ରୀଷ୍ଟଙ୍କର ଅଙ୍ଗପ୍ରତ୍ୟଙ୍ଗ ବୋଲି ତୁମ୍ଭେମାନେ କଅଣ ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ବେଶ୍ୟାର ସହ ମିଳିତ କରାଇବି? କଦାପି ନୁହେଁ! 16ଯିଏ ବେଶ୍ୟା ସହିତ ମିଳିତ ହୁଏ ସେ ଯେ ଶାରୀରିକଭାବେ ତା ସହିତ ଏକ ହୁଏ ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? କାରଣ ଏହା ଉକ୍ତ ଅଛି, “ସେ ଦୁହେଁ ଏକ ହେବେ।” 17କିନ୍ତୁ ଯିଏ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଆତ୍ମାରେ ଏକ ହୁଏ।

18ଯୌନ ଅସଦାଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେଉଁସବୁ ପାପ କରେ ତାହା ଶରୀର ବହିର୍ଭୂତ, କିନ୍ତୁ ଯିଏ ଯୌନ ଅସଦାଚରଣ କରେ, ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19ଯେଉଁ ପବିତ୍ରଆତ୍ମା ତୁମ ଅନ୍ତରରେ ବାସ କରନ୍ତି, ଓ ଯାହାଙ୍କୁ ତୁମେ ଈଶ୍ୱରଙ୍କଠାରୁ ପାଇଅଛ ତୁମର ଶରୀର ଯେ ତାହାଙ୍କର ମନ୍ଦିର, ଏହା କଅଣ ଜାଣ ନାହିଁ? ତୁମ୍ଭେମାନେ ଆଉ ନିଜର ନୁହଁ; 20ତୁମ୍ଭେମାନେ ମହା ମୂଲ୍ୟରେ କ୍ରୀତ ହୋଇଅଛ। ତେଣୁ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ୱିତ କର।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]