Skip to content
The Believer's Library

Indian Revised Version(IRV) Odia - 2021

Judges 12 IRVOry

Side by side with the Father's Heart Bible™

ଇଫ୍ରୟିମ ସହ ଯିପ୍ତହଙ୍କ ସଂଘର୍ଷ

1ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।” 2ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ। 3ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?” 4ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।” 5ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;” 6ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍‍” ତହିଁରେ ସେ କହିଲା, “ସିବ୍ବୋଲେତ୍‍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ। 7ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।

ଇବ୍‍ସନ୍‍, ଏଲୋନ୍‍ ଓ ଅବ୍‍ଦୋନ୍‍

8ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ। 9ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ। 10ଏଥିଉତ୍ତାରେ ଇବ୍‍ସନ୍‍ ମଲେ ଓ ବେଥଲିହିମରେ କବର ପାଇଲେ।

11ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍‍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ। 12ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍‍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍‍ରେ କବର ପାଇଲେ। 13ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ଇସ୍ରାଏଲର ବିଚାର କଲେ। 14ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ। 15ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]