Skip to content
The Believer's Library

Indian Revised Version(IRV) Odia - 2021

Deuteronomy 19 IRVOry

Side by side with the Father's Heart Bible™

ଆଶ୍ରୟ ନଗର ସମ୍ବନ୍ଧୀୟ ବିଧି

1ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ, 2ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ଅଧିକାରାର୍ଥେ ଯେଉଁ ଦେଶ ଦିଅନ୍ତି, ତୁମ୍ଭର ସେହି ଦେଶ ମଧ୍ୟରେ ତୁମ୍ଭେ ଆପଣା ପାଇଁ ତିନୋଟି ନଗର ପୃଥକ କରିବ। 3ତୁମ୍ଭେ ଆପଣା ପାଇଁ ପଥ ପ୍ରସ୍ତୁତ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର କରାଇବେ, ତୁମ୍ଭେ ସେହି ଦେଶର ଭୂମି ତିନି ଭାଗ କରିବ, ତହିଁରେ ପ୍ରତ୍ୟେକ ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ। 4ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ; 5ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ। 6ନୋହିଲେ ରକ୍ତର ପ୍ରତିହନ୍ତା ତପ୍ତଚିତ୍ତ ହୋଇ ନରହତ୍ୟାକାରୀର ପଛେ ଗୋଡ଼ାଇ ଦୂର ପଥ ସକାଶୁ ତାହାକୁ ଧରି ପ୍ରାଣରେ ମାରି ପକାଇବ; ମାତ୍ର ସେ ଲୋକ ପ୍ରାଣଦଣ୍ଡ ଯୋଗ୍ୟ ନୁହେଁ, କାରଣ ସେ ପୂର୍ବେ ତାହାକୁ ହିଂସା କରି ନ ଥିଲା। 7ଏନିମନ୍ତେ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ନଗର ପୃଥକ କରିବାକୁ କହି ଆଜ୍ଞା ଦେଉଅଛି।

8ଆଉ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେ ତାହାସବୁ ପାଳନ କରି ଯାବଜ୍ଜୀବନ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କଲେ ଓ ତାହାଙ୍କ ପଥରେ ଚାଲିଲେ, 9ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଆପଣା ଶପଥ ଅନୁସାରେ ତୁମ୍ଭ ସୀମା ବୃଦ୍ଧି କରନ୍ତି ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ପ୍ରତିଜ୍ଞାତ ସମସ୍ତ ଦେଶ ତୁମ୍ଭକୁ ଦିଅନ୍ତି; ତେବେ ତୁମ୍ଭେ ସେହି ତିନି ନଗର ବ୍ୟତୀତ ତୁମ୍ଭ ପାଇଁ ଆଉ ତିନୋଟି ନଗର ନିରୂପଣ କରିବ; 10ନୋହିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାରାର୍ଥେ ଦିଅନ୍ତି, ତହିଁ ମଧ୍ୟରେ ନିର୍ଦ୍ଦୋଷର ରକ୍ତପାତ ହେବ, ତହୁଁ ତୁମ୍ଭ ଉପରେ ରକ୍ତପାତର ଅପରାଧ ବର୍ତ୍ତିବ।

11ମାତ୍ର କେହି ଯେବେ ଆପଣା ପ୍ରତିବାସୀକୁ ହିଂସା କରି ତାହା ପାଇଁ ଛକି ବସେ ଓ ତାହାର ପ୍ରତିକୂଳରେ ଉଠି ତାହାକୁ ପ୍ରାଣରେ ମାରେ ଓ ସେ ମରନ୍ତେ, ଏହି ନଗରମାନ ମଧ୍ୟରୁ କୌଣସି ଏକ ନଗରକୁ ପଳାଏ; 12ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ଲୋକ ପଠାଇ ସେସ୍ଥାନରୁ ତାହାକୁ ଅଣାଇବେ ଓ ତାହାକୁ ବଧ କରିବା ପାଇଁ ରକ୍ତର ପ୍ରତିହନ୍ତା ହସ୍ତରେ ସମର୍ପଣ କରିବେ। 13ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ।

14ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବକାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ।

ସାକ୍ଷୀ ସମ୍ପର୍କୀୟ ବିଧି

15ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ। 16ଯେବେ ଅଧର୍ମୀ ସାକ୍ଷୀ କାହାରି ବିରୁଦ୍ଧରେ ଉଠି ଅବିଧି କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦିଏ, 17ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ। 18ତହୁଁ ବିଚାରକର୍ତ୍ତାମାନେ ଯତ୍ନପୂର୍ବକ ଅନୁସନ୍ଧାନ କରିବେ; ଆଉ ଦେଖ, ସେ ସାକ୍ଷୀ ଯେବେ ମିଥ୍ୟାସାକ୍ଷୀ ଓ ଆପଣା ଭାଇ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇଥାଏ; 19ତେବେ ସେ ଆପଣା ଭାଇ ପ୍ରତି ଯେପରି କରିବାକୁ କଳ୍ପନା କରିଥିଲା, ତାହା ପ୍ରତି ତୁମ୍ଭେମାନେ ସେହିପରି କରିବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ। 20ପୁଣି ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ ଓ ସେହି ସମୟାବଧି ତୁମ୍ଭ ମଧ୍ୟରେ ଆଉ ସେରୂପ ମନ୍ଦ କର୍ମ କରିବେ ନାହିଁ। 21ତୁମ୍ଭର ଚକ୍ଷୁ ଦୟା କରିବ ନାହିଁ; ପ୍ରାଣ ପରିଶୋଧରେ ପ୍ରାଣ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ପାଦ ପରିଶୋଧରେ ପାଦ ନିଆଯିବ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]