Skip to content
The Believer's Library

Indian Revised Version(IRV) Odia - 2021

Deuteronomy 14 IRVOry

Side by side with the Father's Heart Bible™

ନିଷିଦ୍ଧ ଶୋକ ପ୍ରକାଶ

1ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ। 2କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।

ଶୁଚି ଓ ଅଶୁଚି ଖାଦ୍ୟ

3ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ। 4ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା, 5ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ, 6ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ। 7ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍‍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି; 8ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।

9ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ; 10ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ।

11ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର, 12ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ; 13ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ 14ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ; 15ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ; 16ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ; 17ପାଣିଭେଳା ଓ ଶାଗୁଣା ଓ ପାଣିକୁଆ 18ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି; 19ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡ଼ିକୁ ଭୋଜନ କରିବ ନାହିଁ। 20ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ।

21ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରିପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।

ଦଶମାଂଶର ନିୟମ

22ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ। 23ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ। 24ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ; 25ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ। 26ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;

27ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ। 28ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର-ଦ୍ୱାର ଭିତରେ ସଞ୍ଚୟ କରି ରଖିବ; 29ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗର-ଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]