Skip to content
The Believer's Library

Indian Revised Version(IRV) Odia - 2021

2 Samuel 5 IRVOry

Side by side with the Father's Heart Bible™

ଦାଉଦ, ଇସ୍ରାଏଲର ରାଜା ଅଭିଷିକ୍ତ

1ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। 2ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ଵ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ।’” 3ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।

4ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ। 5ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।

6ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସିପାରିବ ନାହିଁ।” 7ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା। 8ପୁଣି ଦାଉଦ ସେହି ଦିନ କହିଲେ, “ଯେକେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳ ପ୍ରଣାଳୀକୁ ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ‘ଛୋଟା ଓ ଅନ୍ଧମାନଙ୍କୁ’ ବଧ କରୁ।” ଏହେତୁ ଲୋକେ କହନ୍ତି, “ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ସଦାପ୍ରଭୁଙ୍କ ଗୃହ ଭିତରକୁ ଆସିପାରିବ ନାହିଁ।” 9ଏଥିଉତ୍ତାରେ ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ। ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। 10ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ।

11ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। 12ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ।

13ଏଥିଉତ୍ତାରେ ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। 14ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା:- ଶମ୍ମୂୟ ଓ ଶୋବବ୍‍ ଓ ନାଥନ ଓ ଶଲୋମନ 15ଓ ୟିଭର ଓ ଇଲୀଶୂୟ ଓ ନେଫଗ୍‍ ଓ ଯାଫୀୟ 16ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍।

ପଲେଷ୍ଟୀୟମାନଙ୍କ ଉପରେ ବିଜୟ

17ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ। 18ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟୀମ ତଳଭୂମିରେ ବିସ୍ତାର ହୋଇଥିଲେ 19ଏଥିରେ ଦାଉଦ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” 20ତହୁଁ ଦାଉଦ ବାଲ୍‍-ପରାସୀମ୍‍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ୍‍ (ଭଗ୍ନ ସ୍ଥାନ) ରଖିଲେ। 21ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହି ସବୁ ଦଗ୍ଧ କଲେ।

22ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟୀମ ତଳଭୂମିରେ ବିସ୍ତାର (ବିଶ୍ରାମ ନେଲେ) ହେଲେ। 23ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠିଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। 24ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।” 25ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]