Skip to content
The Believer's Library

Indian Revised Version(IRV) Odia - 2021

2 Samuel 17 IRVOry

Side by side with the Father's Heart Bible™

ଦାଉଦଙ୍କ ପ୍ରତି ହୂଶୟଙ୍କ ଉପକାର

1ଆହୁରି ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ମୁଁ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି। 2ପୁଣି ସେ କ୍ଳାନ୍ତ ଓ ଶିଥିଳ ହସ୍ତ ଥିବା ବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି; ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ; ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି। 3ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ; ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ।” 4ସେତେବେଳେ ଏହି କଥା ଅବଶାଲୋମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା।

5ତେବେ ଅବଶାଲୋମ କହିଲା, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କʼଣ କହେ, ତାହା ମଧ୍ୟ ଶୁଣିବା।” 6ତହୁଁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ଅବଶାଲୋମ ତାହାକୁ କହିଲା, “ଅହୀଥୋଫଲ ଏପରି ଏପରି କହୁଅଛି; ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯଦି ନ କରିବା, ତେବେ ତୁମ୍ଭେ କୁହ।” 7ତହିଁରେ ହୂଶୟ ଅବଶାଲୋମଙ୍କୁ କହିଲା, “ଅହୀଥୋଫଲ ଯେଉଁ ମନ୍ତ୍ରଣା ଦେଇଅଛି, ତାହା ଭଲ ନୁହେଁ।” 8ହୂଶୟ ଆହୁରି କହିଲା, “ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। 9ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରିଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’ 10ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି। 11ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ। 12ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେହି ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ; ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ। 13ଆହୁରି ଯଦି ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦଉଡ଼ି ଆଣିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକୁ ଟାଣି ନେବୁ।” 14ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ।” ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ।

15ଏଥିଉତ୍ତାରେ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, “ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି। 16ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସିମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’” 17ସେହି ସମୟରେ ଯୋନାଥନ ଓ ଅହୀମାସ୍‍ ଐନ୍‍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାʼନ୍ତି। 18ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ। 19ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା; ଏଣୁ କିଛି ଜଣା ପଡ଼ିଲା ନାହିଁ। 20ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, “ଅହୀମାସ୍‍ ଓ ଯୋନାଥନ କାହାନ୍ତି?” ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।” ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରିଗଲେ।

21ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇ ଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ; ଆଉ ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେମାନେ ଉଠ, ଶୀଘ୍ର ଜଳ ପାର ହୋଇଯାଅ, କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି।” 22ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଯର୍ଦ୍ଦନ ପାର ହୋଇଗଲେ; ପ୍ରଭାତ ଆଲୁଅ ସମୟ ପୁର୍ବରୁ ଯେ ଯର୍ଦ୍ଦନ ପାର ହୋଇଯାଇ ନ ଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ।

23ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।

24ଏଥିମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ। ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ। 25ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାଙ୍କୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା। 26ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲୀୟଦ ଦେଶରେ ଛାଉଣି ସ୍ଥାପନ କଲେ।

27ଏଥିଉତ୍ତାରେ ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ 28ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ, ଯବ, ମଇଦା, ଭଜା ଶସ୍ୟ, ଶିମ, ମସୁର ଓ ଭଜା ବିରି 29ପୁଣି ମଧୁ, ଦହି, ମେଷ ଓ ଗୋ-ଛେନା ଆଣିଲେ; ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ; କାରଣ ସେମାନେ କହିଲେ, “ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।”

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]