Skip to content
The Believer's Library

Indian Revised Version(IRV) Odia - 2021

1 Chronicles 12 IRVOry

Side by side with the Father's Heart Bible™

ଦାଉଦଙ୍କ ଅନୁଗାମୀ ପରାକ୍ରମୀ ସୈନ୍ୟ

1ଯେଉଁ ସମୟରେ ଦାଉଦ କୀଶ୍‍ର ପୁତ୍ର ଶାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେହି ସମୟରେ ଏହି ଲୋକମାନେ ସିକ୍ଲଗ୍‍କୁ ତାଙ୍କ ନିକଟକୁ ଆସିଥିଲେ; ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ। 2ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ। 3ସେମାନଙ୍କ ମଧ୍ୟରେ ପ୍ରଧାନ ଅହୀୟେଷର, ତହିଁ ଉତ୍ତାରେ ଯୋୟାଶ୍‍, ଏମାନେ ଗିବୀୟାଥୀୟ ଶମାୟର ପୁତ୍ର; ଅସ୍ମାବତ୍‍ର ପୁତ୍ର ଯିଷୀୟେଲ୍‍, ପେଲଟ୍‍, ଅନାଥୋତୀୟ ବରାଖା ଓ ଯେହୂ; 4ପୁଣି, ଗିବୀୟୋନୀୟ ଯିଶ୍ମୟୀୟ, ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ; ଆଉ ଯିରିମୀୟ, ଯହସୀୟେଲ, ଯୋହାନନ୍‍, ଗଦେରାଥୀୟ ଯୋଷାବଦ୍‍; 5ଇଲିୟଷୟ, ଯିରେମୋତ୍‍, ବାଲୀୟା, ଶେମରୀୟ, ହରୂଫୀୟ ଶଫଟୀୟ; 6କୋରହୀୟ ଇଲ୍‍କାନା, ଯିଶୀୟ, ଅସରେଲ୍‍, ଯୋୟେଷର୍‍, ଯାଶ୍‍ବୀୟାମ୍‍; 7ଆଉ ଗଦୋର ନିବାସୀ ଯିରୋହମର ପୁତ୍ର ଯୋୟେଲା ଓ ସବଦୀୟ। 8ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ। 9ପ୍ରଥମ ଏସର୍‍, ଦ୍ୱିତୀୟ ଓବଦୀୟ, ତୃତୀୟ ଇଲୀୟାବ୍‍, 10ଚତୁର୍ଥ ମିଶ୍ମନ୍ନା, ପଞ୍ଚମ ଯିରିମୀୟ, 11ଷଷ୍ଠ ଅତ୍ତୟ, ସପ୍ତମ ଇଲୀୟେଲ୍‍; 12ଅଷ୍ଟମ ଯୋହାନନ୍‍, ନବମ ଇଲ୍ସାବଦ୍‍; 13ଦଶମ ଯିରିମୀୟ, ଏକାଦଶ ମଗ୍‍ବନ୍ନୟ। 14ଗାଦ୍‍ର ଏହି ସନ୍ତାନମାନେ ସେନାପତି ଥିଲେ, ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର, ସେ ଏକ ଶତ ଲୋକର ଓ ଯେ ମହାନ, ସେ ଏକ ସହସ୍ର ଲୋକର ସମାନ ଥିଲା। 15ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। 16ଆହୁରି ବିନ୍ୟାମୀନ୍ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ। 17ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, “ଯଦି ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋʼ ନିକଟକୁ ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯଦି ତୁମ୍ଭେମାନେ ମୋʼ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ।” 18ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା,“ହେ ଦାଉଦ, ଆମ୍ଭେମାନେ ତୁମ୍ଭର,ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ;ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ;କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି।”ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ।

19ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶିୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, “ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ।” 20ଦାଉଦ ସିକ୍ଲଗ୍‍କୁ ଯିବା ବେଳେ ମନଃଶି ସମ୍ବନ୍ଧୀୟ ଅଦ୍ନହ, ଯୋଷାବଦ୍‍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍‍, ଇଲୀହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ। 21ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ। 22ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ୱରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା।

23ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି। 24ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ। 25ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ ସାତ ହଜାର ଏକ ଶହ ଜଣ। 26ଲେବୀ-ସନ୍ତାନଗଣ ମଧ୍ୟରୁ ଚାରି ହଜାର ଛଅ ଶହ ଜଣ। 27ପୁଣି, ଯିହୋୟାଦା ହାରୋଣ-ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ ତିନି ହଜାର ସାତ ଶହ ଲୋକ ଥିଲେ। 28ଆଉ ସାଦୋକ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲା ଓ ତାହାର ପିତୃବଂଶର ବାଇଶ ଜଣ ସେନାପତି ଥିଲେ। 29ଶାଉଲଙ୍କର ଜ୍ଞାତି ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ତିନି ହଜାର ଲୋକ; କାରଣ ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ଶାଉଲଙ୍କ ବଂଶର ବଶତା ସ୍ୱୀକାର କଲେ। 30ଇଫ୍ରୟିମ-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ। 31ପୁଣି, ମନଃଶିର ଅର୍ଦ୍ଧ ବଂଶରୁ ଅଠର ହଜାର ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ମନୋନୀତ ଲୋକ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ। 32ଆଉ ଇଷାଖର-ସନ୍ତାନଗଣ ମଧ୍ୟରୁ ଦୁଇ ଶହ ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ, ତାହା ଜାଣିଲେ; ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ। 33ସବୂଲୂନ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ୱିମନା ନ ଥିଲେ। 34ପୁଣି, ନପ୍ତାଲି ମଧ୍ୟରୁ ଏକ ହଜାର ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ ସଇଁତିରିଶ ହଜାର ଲୋକ ଥିଲେ। 35ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ ଅଠାଇଶ ହଜାର ଛଅ ଶହ ଲୋକ ଥିଲେ। 36ଆଶେର ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ, ଯୁଦ୍ଧ ସଜାଇବାକୁ ସମର୍ଥ ଚାଳିଶ ହଜାର ଲୋକ। 37ଆଉ ଯର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ, ଗାଦୀୟ ଓ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ।

38ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ। 39ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ। 40ଆହୁରି ଇଷାଖର, ସବୂଲୂନ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ, ଉଷ୍ଟ୍ର, ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ, ଅର୍ଥାତ୍‍, ସୂଜିର ଦ୍ରବ୍ୟ, ଡିମ୍ବିରି ଚକ୍ତି, ଦ୍ରାକ୍ଷାପେଣ୍ଡା, ଦ୍ରାକ୍ଷାରସ, ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।

ORY-IRV Creative Commons License Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Indian Revised Version(IRV) Odia - 2021 · Creative Commons - Attribution-ShareAlike [CC BY-SA]