Skip to content
The Believer's Library

Biblica® Open Odia Contemporary Bible

John 10 OOCB

Side by side with the Father's Heart Bible™

ଉତ୍ତମ ମେଷପାଳକ ଓ ମେଷ

1“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେଉଁ ଲୋକ ଦ୍ଵାର ଦେଇ ମେଷଶାଳାରେ ପ୍ରବେଶ କରେ ନାହିଁ, ମାତ୍ର ଅନ୍ୟ କୌଣସି ବାଟେ ଡେଇଁ ପ୍ରବେଶ କରେ, ସେ ଚୋର ଓ ଡକାଇତ। 2ଯେଉଁ ଲୋକ ଦ୍ଵାର ବାଟେ ପ୍ରବେଶ କରେ ସେ ତାହାର ମେଷମାନଙ୍କ ପାଳକ। 3ଦ୍ଵାରପାଳ ତା ପାଇଁ ଦ୍ଵାର ଖୋଲିଦିଏ, ଓ ମେଷମାନେ ତାହାର ସ୍ଵର ଶୁଣନ୍ତି। ସେ ନିଜର ମେଷମାନଙ୍କୁ ନାମ ଧରି ଡାକେ ଓ ସେମାନଙ୍କୁ ବାହାରକୁ କଢ଼ାଇ ନିଏ। 4ସେ ନିଜର ସବୁ ମେଷକୁ ବାହାର କରି ଆଣିବା ପରେ, ସେମାନଙ୍କ ଆଗେ ଆଗେ ଚାଲେ, ଏବଂ ମେଷମାନେ ତାହାର ପଛେ ପଛେ ଯାଆନ୍ତି କାରଣ ସେମାନେ ତାହାର ସ୍ଵର ଚିହ୍ନିନ୍ତି। 5କିନ୍ତୁ ସେମାନେ କେବେହେଲେ ଅପରିଚିତ ଲୋକର ପଛେ ପଛେ ଯିବେ ନାହିଁ; ବରଂ, ତା ନିକଟରୁ ପଳାଇବେ କାରଣ ସେମାନେ ଅପରିଚିତ ଲୋକର ସ୍ଵର ଚିହ୍ନିନ୍ତି ନାହିଁ।” 6ଯୀଶୁ ଏହି ଉଦାହରଣଟି ଦେଲେ, କିନ୍ତୁ ସେମାନେ ତାହାର ଅର୍ଥ ବୁଝିଲେ ନାହିଁ।

7ତେଣୁ ଯୀଶୁ ପୁନର୍ବାର କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମେଷମାନଙ୍କ ପାଇଁ ମୁଁ ହେଉଛି ଦ୍ଵାର। 8ଯେଉଁମାନେ ମୋ ପୂର୍ବରୁ ଆସିଥିଲେ ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। 9ମୁଁ ହେଉଛି ଦ୍ଵାର; ଯେକେହି ମୋ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ। ସେ ଭିତରକୁ ଓ ବାହାରକୁ ଯା ଆସ କରିବ, ଏବଂ ଚରା ପାଇବ। 10ଚୋର କେବଳ ଚୋରି, ହତ୍ୟା ଓ ବିନାଶ କରିବାକୁ ଆସେ; କିନ୍ତୁ ସେମାନେ ଯେପରି ଜୀବନ ପାଇବେ ଏବଂ ପୂର୍ଣ୍ଣମାତ୍ରାରେ ତାହା ପାଇବେ, ସେଥିପାଇଁ ମୁଁ ଆସିଛି।

11“ମୁଁ ହେଉଛି ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରେ। 12ଯିଏ ବେତନଭୋଗୀ ସେ ମେଷପାଳକ ନୁହେଁ କି ମେଷମାନେ ତାହାର ନୁହନ୍ତି। ହେଟାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଦୈଡ଼ି ପଳାଏ। ତହୁଁ ହେଟାବାଘ ପଲକୁ ଆକ୍ରମଣ କରି ଛିନ୍ନଛତ୍ର କରେ। 13ସେହି ଲୋକ ବେତନଭୋଗୀ ହୋଇଥିବାରୁ ଦୈଡ଼ି ପଳାଏ ଓ ମେଷମାନଙ୍କ ପାଇଁ ଚିନ୍ତା କରେ ନାହିଁ।

14“ମୁଁ ହେଉଛି ଉତ୍ତମ ମେଷପାଳକ; ମୁଁ ମୋର ମେଷମାନଙ୍କୁ ଜାଣେ ଓ ମୋର ମେଷମାନେ ମୋତେ ଜାଣନ୍ତି 15ଯେପରି ପିତା ମୋତେ ଜାଣନ୍ତି ଓ ଠିକ ସେହିପରି ମୁଁ ପିତାଙ୍କୁ ଜାଣେ, ପୁଣି ମୁଁ ମେଷମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରେ। 16ମୋର ଅନ୍ୟ ମେଷମାନେ ଅଛନ୍ତି ସେମାନେ ଏ ପଲର ନୁହନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ। ସେମାନେ ମଧ୍ୟ ମୋର ସ୍ଵର ଶୁଣିବେ, ତା ହେଲେ ଗୋଟିଏ ପଲ ହେବ ଓ ଜଣେ ପାଳକ ରହିବେ। 17ପିତା ମୋତେ ପ୍ରେମ କରନ୍ତି, କାରଣ ମୁଁ ମୋର ଜୀବନ ଉତ୍ସର୍ଗ କରେ ଓ ପୁନର୍ବାର ତାହା ଗ୍ରହଣ କରିନିଏ। 18କେହି ମୋ ଠାରୁ ମୋର ଜୀବନ ନିଏ ନାହିଁ, କିନ୍ତୁ ମୁଁ ସ୍ଵଇଚ୍ଛାରେ ତାହା ଉତ୍ସର୍ଗ କରେ। ଜୀବନ ଉତ୍ସର୍ଗ କରିବାକୁ ଓ ପୁନର୍ବାର ତାହା ଗ୍ରହଣ କରିବାକୁ ମୋର ଅଧିକାର ଅଛି। ମୋର ପିତାଙ୍କଠାରୁ ମୁଁ ଏହି ଆଦେଶ ପାଇଛି।”

19ଏହିସବୁ କଥା ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରେ ପୁଣି ବିଭେଦ ଘଟିଲା। 20ସେମାନଙ୍କ ମଧ୍ୟରୁ ଅନେକେ କହିଲେ, “ସେ ଭୂତଗ୍ରସ୍ତ ଓ ପୂରା ପାଗଳ। କାହିଁକି ତା କଥା ଶୁଣୁଛ?”

21କିନ୍ତୁ ଅନ୍ୟମାନେ କହିଲେ, “ଏହା ତ ଭୂତଗ୍ରସ୍ତ ଲୋକର କଥା ନୁହେଁ। ଭୂତ କଅଣ ଅନ୍ଧକୁ ଦୃଷ୍ଟି ଦେଇପାରେ?”

22ଏହାପରେ ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା। ସେତେବେଳକୁ ଶୀତକାଳ, 23ଓ ଯୀଶୁ ମନ୍ଦିରରେ ଶଲୋମନ ମଣ୍ଡପରେ ବୁଲୁଥିଲେ। 24ଯିହୁଦୀମାନେ ତାଙ୍କୁ ଘେରି ଯାଇ, କହିଲେ, “ଆଉ କେତେ କାଳ ତୁମେ ଆମକୁ ସନ୍ଦେହରେ ରଖିବ? ତୁମେ ଯଦି ଖ୍ରୀଷ୍ଟ, ଆମକୁ ସ୍ପଷ୍ଟ କୁହ।”

25ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଥିଲି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କଲ ନାହିଁ। ମୋର ପିତାଙ୍କ ନାମରେ ମୁଁ ଯେଉଁସବୁ ଅଲୌକିକ କର୍ମ କରୁଛି ସେହିସବୁ ହିଁ ମୋ ସପକ୍ଷରେ ସାକ୍ଷ୍ୟ ଦେଉଛି, 26କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ କାରଣ ତୁମ୍ଭେମାନେ ମୋ ପଲର ମେଷ ନୁହଁ। 27ମୋର ମେଷମାନେ ମୋର ସ୍ଵର ଶୁଣନ୍ତି; ମୁଁ ସେମାନଙ୍କୁ ଜାଣେ, ଓ ସେମାନେ ମୋର ପଛେ ପଛେ ଯାଆନ୍ତି। 28ମୁଁ ସେମାନଙ୍କୁ ଅନନ୍ତଜୀବନ ଦିଏ, ଓ ସେମାନେ କେବେ ବିନଷ୍ଟ ହେବେ ନାହିଁ; କେହି ସେମାନଙ୍କୁ ମୋ ହାତରୁ ଛଡ଼ାଇ ନେଇପାରିବ ନାହିଁ। 29ମୋର ପିତା, ଯେ କି ଏମାନଙ୍କୁ ମୋତେ ଦେଇଛନ୍ତି, ସେସମସ୍ତଙ୍କ ଅପେକ୍ଷା ମହାନ; ତେଣୁ ମୋର ପିତାଙ୍କ ହାତରୁ ସେମାନଙ୍କୁ ଛଡ଼ାଇ ନେବାକୁ କାହାରି ସାଧ୍ୟ ନାହିଁ। 30ମୁଁ ଓ ପିତା ଏକ।”

31ତାଙ୍କୁ ମାରିଦେବା ପାଇଁ ଯିହୁଦୀମାନେ ଆଉ ଥରେ ପଥର ଉଠାଇଲେ, 32କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପିତାଙ୍କଠାରୁ ଅନେକ ମହତ୍ ଅଲୌକିକ କର୍ମ ତୁମ୍ଭମାନଙ୍କୁ ଦେଖାଇଛି। ଏହିସବୁ ମଧ୍ୟରୁ କେଉଁ କର୍ମ ପାଇଁ ମୋତେ ପଥର ଫୋପାଡ଼ି ମାରିବାକୁ ଯାଉଛ?”

33ଯିହୁଦୀମାନେ ଉତ୍ତର ଦେଲେ, “ଏହିସବୁ ମଧ୍ୟରୁ କୌଣସି କର୍ମ ପାଇଁ ଆମେ ତୁମକୁ ପଥର ଫୋପାଡ଼ି ମାରିବାକୁ ଯାଉ ନାହୁଁ,” କିନ୍ତୁ ଈଶ୍ୱରନିନ୍ଦା ପାଇଁ, କାରଣ ତୁମେ ଜଣେ, ସାମାନ୍ୟ ମନୁଷ୍ୟ ହୋଇ, ନିଜକୁ ଈଶ୍ୱର ବୋଲାଉଛ।

34ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଧିବ୍ୟବସ୍ଥାରେ କଅଣ ଏ କଥା ଲେଖା ନାହିଁ, ମୁଁ କହିଛି ତୁମ୍ଭେମାନେ ‘ଦେବଗଣ’? 35ଯେଉଁମାନେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇଲେ ସେମାନଙ୍କୁ ସେ ‘ଦେବଗଣ,’ ବୋଲି ଆଖ୍ୟା ଦେଲେ, ଆଉ ଧର୍ମଶାସ୍ତ୍ର ତ ଖଣ୍ଡନ କରାଯାଇ ନ ପାରେ, 36ତା ହେଲେ ପିତା ଯାହାଙ୍କୁ ପୃଥକୀକୃତ କରି ଜଗତକୁ ପଠାଇଲେ ତାହାଙ୍କ ବିଷୟରେ କଣ କୁହାଯିବ? ମୁଁ ଈଶ୍ୱରଙ୍କ ପୁତ୍ର ଏହା କହିବାରୁ ମୋତେ କାହିଁକି, ଈଶ୍ୱରନିନ୍ଦା ଅପରାଧରେ ଦୋଷୀ କରୁଛ? 37ମୁଁ ଯଦି ପିତାଙ୍କ କର୍ମ କରୁ ନାହିଁ ତେବେ ମୋତେ ବିଶ୍ୱାସ କର ନାହିଁ। 38କିନ୍ତୁ ଯଦି କରୁଛି, ତେବେ ମୋତେ ବିଶ୍ୱାସ ନ କଲେ, ମଧ୍ୟ ଅଲୌକିକ କର୍ମସବୁକୁ ବିଶ୍ୱାସ କର, ତା ହେଲେ ପିତା ମୋ ଠାରେ, ଓ ମୁଁ ପିତାଙ୍କଠାରେ ଅଛି ବୋଲି ଜାଣିବ ଓ ବୁଝିବ।” 39ପୁଣି ଥରେ ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ କବଳରୁ ବାହାରିଗଲେ।

40ତତ୍ପରେ ଯୀଶୁ ପୁନର୍ବାର ଯର୍ଦ୍ଦନର ଆରପାରିକୁ ଗଲେ ଓ ଯୋହନ ପୂର୍ବେ ଯେଉଁ ସ୍ଥାନରେ ଡୁବନ ଦେଉଥିଲେ। ସେହି ସ୍ଥାନରେ ରହିଲେ, 41ଅନେକ ଲୋକ ତାଙ୍କ ନିକଟକୁ ଗଲେ। ସେମାନେ କହୁଥିଲେ, “ଯଦିବା ଯୋହନ କୌଣସି ଅଲୌକିକ କର୍ମ କରି ନ ଥିଲେ, ତଥାପି ଏହି ବ୍ୟକ୍ତିଙ୍କ ସମ୍ବନ୍ଧରେ ଯାହାକିଛି କହିଥିଲେ ସେହିସବୁ ସତ୍ୟ।” 42ସେହି ସ୍ଥାନରେ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]